Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ ରଘୁବର ଦାସ, ଆଜି ପୂର୍ବାହ୍ଣ ୧୧ଟା ୪୫ରେ ନେବେ ଶପଥ

ଭୁବନେଶ୍ଵର: ଗତକାଲି ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ମଙ୍ଗଳବାର ଶପଥ ଗ୍ରହଣ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ନୂଆ ରାଜ୍ୟପାଳ ରଘୁବର ଦାସ ପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ନୂଆ ରାଜ୍ୟପାଳଙ୍କୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ କେତେକ ନେତା ମନ୍ଦିର ନିକଟରେ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେ ପ୍ରାୟ ୪୦ ମିନିଟ୍ କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିଛନ୍ତି।

ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଭାବେ ଆଜି ପୂର୍ବାହ୍ଣ ୧୧ଟା ୪୫ରେ ଶପଥ ଗ୍ରହଣ କରିବେ। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବେ। ଏହା ପୂର୍ବରୁ ସୋମବାର ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ। ଏହି ଅବସରରେ ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିସନର ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ।

ସୋମବାର ଦିନ ଭୋର ସମୟରେ ପୁରୀରେ ପହଞ୍ଚିଥିଲେ ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଏଠାରେ ତାଙ୍କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍‌ପି କନଓ୍ୱର ବିଶାଳ ସିଂହ ସ୍ୱାଗତ କରିଥିଲେ । ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ପୁରୀ ଷ୍ଟେସନରୁ ସିଧା ରାଜଭବନ ଯାଇଥିଲେ ରଘୁବର ଦାସ । ସେଠାରେ କିଛି ସମୟ ବିଶ୍ରାମ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ନୂତନ ରାଜ୍ୟପାଳ ରଘୁବର ଦାସ। ମଙ୍ଗଳବାର ଦିନ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଓଡିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ