Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଜାତୀୟ ଏକତା ଦିବସ

ଭବାନୀପାଟଣା, ୩୧/୧୦ (ଜଗନ୍ନାଥ ନାଏକ) : ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ‘ଜାତୀୟ ଏକତା ଦିବସ’ ଭାବେ ପାଳନ କରାଯାଏ। ୨୦୧୪ ମସିହାରୁ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନକୁ ‘ଜାତୀୟ ଏକତା ଦିବସ’ ଭାେବ ପାଳନ କରାଯାଉଛି। ଭାରତ ଏକୀକରଣରେ ସର୍ଦ୍ଦାର ପଟେଲ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଲୌହ ପୁରୁଷ ଉପାଧି ପ୍ରଦାନ କରାଯାଇଛି। ସେ ୧୮୭୫ରେ ଗୁଜରାଟର ନଦିୟାଦରେ ଜନ୍ମଗ୍ରହଣ କରିଥିଲେ। ସେ ପେସାରେ ଜଣେ ଓକିଲ ଥିଲେ । ତେବେ ରାଷ୍ଟ୍ରବାଦୀ ଗୁଣ ହିଁ ତାଙ୍କୁ ସ୍ବାଧୀନତା ସଂଗ୍ରାମୀର ପରିଚୟ ପ୍ରଦାନ କରିଛି। ସେ ଥିଲେ ସ୍ବାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ। ତାଙ୍କର ଦୃଢ଼ ସଂକଳ୍ପ ବଳରେ ଭାରତରେ ୫୬୫ଟି ସ୍ୱାଧୀନ ଗଡ଼ଜାତ ରାଜ୍ୟ ମିଶିଥିଲେ। ସେଥିପାଇଁ ତାଙ୍କୁ ଏକତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ।
ଦେଶ ପ୍ରତି ଥିବା ସର୍ଦ୍ଦାର ପଟେଲଙ୍କ ଯୋଗଦାନ ସମ୍ପର୍କରେ ଏହି ଦିନ ଦେଶବାସୀଙ୍କୁ ଅବଗତ କରାଇଥାଏ। ତା’ସହ ଏହି ଅବସରରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଏ। ଗୃହ ମନ୍ତ୍ରଣାଳୟର ବିବୃତି ଅନୁସାରେ, ‘‘ଜାତୀୟ ଏକତା ଦିବସ େହଉଛି ଆମ ଦେଶର ଅନ୍ତର୍ନିହିତ ଶକ୍ତିକୁ ସ୍ଥିରତା ସହିତ ପୁନଃସଂଯୋଗ କରିବାର ଏକ ସୁଯୋଗ। ଏହା ସହ ଏହା ଆମ ଦେଶର ଏକତା ଓ ଅଖଣ୍ଡତା ପ୍ରତି ପ୍ରକୃତ ତଥା ସମ୍ଭାବ୍ୟ ବିପଦକୁ ସାମ୍ନା କରିବାରେ ସାହସ ଓ ଦେଶ ପାଇଁ ସୁରକ୍ଷା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।’’ ଗୁଜରାଟର ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସର୍ଦ୍ଦାର ପଟେଲ ସ୍ୱାଧୀନ ଭାରତର ଜଣେ ମହାନ ଜନନେତା ହୋଇପାରିଥିଲେ। ୧୫ ଡିସେମ୍ବର ୧୯୫୦ ମସିହାରେ ସେ ଇହଧାମ ତ୍ୟାଗ କରିଥିଲେ । ତାଙ୍କର ଶବ ଶୋଭାଯାତ୍ରାରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ସହ ପାଖାପାଖି ଦଶ ଲକ୍ଷ ଲୋକ ଉପସ୍ଥିତ ଥିଲେ । ସେହିପରି ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କ ସମ୍ମାନରେ ଗୁଜରାଟରେ ୧୮୨ ମିଟର ଉଚ୍ଚତାର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହି ଦିବସ ଅବସରରେ ସାରା ଦେଶରେ ‘ଏକତା ଦୌଡ଼’ର ଆୟୋଜନ କରାଯାଏ।