Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସିଷ୍ଟାଣ୍ଡ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାରେ ଆସିଲା ଭିସେରା ରିପୋର୍ଟ, ହେଲେ ସ୍ପଷ୍ଟ କରୁନି ପୋଲିସ

ରାଉରକେଲା: ରାଉରକେଲା ଆସିଷ୍ଟାଣ୍ଡ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାରେ ଭିସେରା ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି। ଏ ନେଇ ଏହାର ସୂଚନା ଦେଇଛନ୍ତି ଡିଏସପି ବନିତା ମାଜୀ। ତେବେ ରିପୋର୍ଟରେ କଣ ଅଛି ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ସୁସ୍ମିତାଙ୍କ ମୋବାଇଲ୍ ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବ୍ ପଠାଯିବ। ସୁସ୍ମିତାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ବି ବାଦ ବିବାଦ ବଢିବାରେ ଲାଗିଛି।

ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ ଘଟଣାର ଖୁଲାସା ଆଜିଯାଏଁ ହୋଇପାରିନି । ପରିବାର ଲୋକେ ତଦନ୍ତ ରିପୋର୍ଟ ଭରସା କରି ପାରି ନାହାନ୍ତି। ଭିସେରା ରିପୋର୍ଟ ଆସିଥିଲେ ହେଁ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ ନ କରାଯିବା ରହସ୍ୟକୁ ଆହୁରି ଘନୀଭୁତ କରୁଛି। ଏବେ ମୃତ ସୁସ୍ମିତାଙ୍କ ମୋବାଇଲ୍‌ ଉପରେ ଏଚ୍‌ଆରପିସି ଭରସା କରିଛି । ସୁସ୍ମିତାଙ୍କ ମୋବାଇଲର ଲକ୍‌ ପାଟର୍ଣ୍ଣ ଖୋଲୁନଥିବାରୁ ତାହାକୁ ଭୁବନେଶ୍ୱର ଲ୍ୟାବ୍‌କୁ ପଠାଯିବ ବୋଲି ରିପୋର୍ଟରୁ ପ୍ରକାଶ।

ସେପ୍ଟେମ୍ବର ୨୭ରେ  ସୁସ୍ମିତାଙ୍କ ମୃତ୍ୟୁ ଘଟଣାର ତଦନ୍ତଭାର ପୋଲିସ ବିଭାଗ ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆରପିସି) ନେଇଥିଲା । ମୃତ୍ୟୁ ପୂର୍ବରୁ ସୁସ୍ମିତା ରହିଥିବା ଦୁଇଟି ହୋଟେଲ ରୁମ୍‌କୁ ଯାଞ୍ଚ କରିବା ସହ ସମ୍ପୃକ୍ତ ହୋଟେଲର ମ୍ୟାନେଜର ଓ କର୍ମଚାରୀଙ୍କୁ ପଚରା ଉଚୁରା କରାଯାଇଥିଲା। ସୁସ୍ମିତାଙ୍କ ମୃତଦେହ ମିଳିଥିବା ସେନ୍‌ସୋରୀ ପାର୍କରେ ତଦନ୍ତକାରୀ ଟିମ୍‌ ପହଞ୍ଚି ତନତନ କରି ଯାଞ୍ଚ କରିଥିଲା । ପରିବାର ସଦସ୍ୟଙ୍କ ସମେତ ଅଭିଯୋଗ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଜେରା କରିଥିଲା । ସବୁ ଦିଗରୁ ତଦନ୍ତକାରୀ ଟିମ୍‌ ତଦନ୍ତ ସାରିଥିଲେ ମଧ୍ୟ ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ