Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଖପ୍ପା, ଦୀପାବଳିରେ ବାଣ ନ ଫୁଟାଇବାକୁ ଦେଲେ ଉପଦେଶ, ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲେ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ହରିୟାଣା, ପଞ୍ଜାବ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ପରି ରାଜ୍ୟରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି। ଅଦାଲତ ମଙ୍ଗଳବାର ଶୁଣାଣି ସମୟରେ ପରିବେଶକୁ ପ୍ରଦୂଷିତ କରି ଉତ୍ସବ ପାଳନ କରିବା ସ୍ଵାର୍ଥପର କାମ ବୋଲି କହିଛନ୍ତି। ତେଣୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଦୀପାବଳି ଓ ଅନ୍ୟ ପର୍ବ ସମୟରେ ବାଣ ଫୁଟାଇବା ଉପରେ କଟକଣା ଲାଗୁ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି।

ଏପରିକି ପାଳ ଜଳାଇବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ପଞ୍ଜାବ ସରକାରଙ୍କୁ ଉପଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ପାଳ ଜଳାଇବା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ। ଏହା ଯେଉଁଭଳି ସ୍ଥିତିରେ ବି ବନ୍ଦ ହେବା ଉଚିତ୍। ପଞ୍ଜାବରେ ଏବେ ବି ପାଳ ଜଳାଯାଉଛି। ତେଣୁ ରାଜ୍ୟ ସରକାର ଏହା ଉପରେ କେମିତି ରୋକ୍ ଲଗାଇବା ତାହା ଉପରେ ଗମ୍ଭୀରତାର ସହ ବିଚାର କରନ୍ତୁ।

ଜଷ୍ଟିସ ସଞ୍ଜୟ କିଶନ କୌଲ କହିଛନ୍ତି, ଗତ ଦିନରେ ପଞ୍ଜାବ ଦେଇ ଯାତ୍ରା କରୁଥିବା ସମୟରେ ରାସ୍ତାର ଉଭୟ ପାର୍ଶ୍ଵରେ ଖୁବ୍ ପାଳ ଜଳାଯାଉଥିଲା। ଏହାକୁ ନେଇ କଠୋର ପଦକ୍ଷେପ ନେବାକୁ ପଡ଼ିବ। ଯଦି ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେବେ ନାହିଁ ତେବେ ବହୁତ ମହଙ୍ଗା ପଡ଼ିବ। ପାଳ ଜଳାଇବା ବନ୍ଦ କରିବା ପାଇଁ ଆମେ କାଲି ପର୍ଯ୍ୟନ୍ତ ବି ଅପେକ୍ଷା କରି ପାରିବୁ ନାହିଁ। ଦିଲ୍ଲୀ ଓ ପଞ୍ଜାବରେ ଗୋଟିଏ ପାର୍ଟିର ସରକାର ରହିଛି।

ସୁପ୍ରିମକୋର୍ଟ କହିଛନ୍ତି, ଏହି ସମୟରେ ରାଜୈନତିକ ଦୋଷ ଲଦାଲଦିର ସମୟ ନୁହେଁ। ଆମେ ଚାହୁଁ ନଡ଼ା ଜଳାଇବା ବନ୍ଦ କରାଯାଉ। ଆମେ ଜାଣିନୁ ଏହା କେମିତି ହେବ, କିନ୍ତୁ ଏହାକୁ ରୋକିବାର କାମ ଆପଣଙ୍କର। ତେଣୁ ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ଏହାକୁ ଯଥାଶୀଘ୍ର ରୋକନ୍ତୁ। ଏହା ସହିତ ଅଦାଲତ ସାଧାରଣ ଜନତାଙ୍କୁ ବାଣ ନ ଫୁଟାଇବା ପାଇଁ ଉପଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ବାଣ ଫୁଟାଇବା ଉପରେ ସେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରୋକ୍ ଲଗାଯାଇ ପାରିବ ନାହିଁ, ଯେ ପର୍ଯ୍ୟନ୍ତ ଲୋକେ ନିଜେ ବନ୍ଦ ନ କରିଛନ୍ତି। ଏଥିପାଇଁ କଟକଣା ଲଗାଯାଇ ଲୋକଙ୍କୁ ପ୍ରଦୂଷଣକୁ ନେଇ ସମ୍ବେଦନଶୀଳ କରାଯାଉ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ