Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା, ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ- ମୋ ପାଖରେ ଖବର ନାହିଁ

ବରଗଡ଼: ବରଗଡ଼ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ଖବର ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପାଖରେ ନାହିଁ। ତାଙ୍କ ପାଖରେ ଖବର ନ ଥିବା ସ୍ଵୀକାର କଲେ ଖୋଦ୍ ମନ୍ତ୍ରୀ ତୁଷାରକାନ୍ତି ବେହେରା। ଥାନା ଭଙ୍ଗାରୁଜା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଘଟଣା ବିଷୟରେ ମୁଁ କହି ପାରିବିନି।

ସେ ଏହା ମଧ୍ୟ କହିଛନ୍ତି ଏ ଘଟଣା ମୋ ପାଖକୁ ଆସିନି। ସେ କଥା ଆସିନି ମୋ ପାଖକୁ, ଆସିଲେ ନିଶ୍ଚୟ କହିବି। ମନ୍ତ୍ରୀଙ୍କ ଏମିତି ଉତ୍ତର ଶୁଣି ସଭିଙ୍କୁ ଆଶ୍ଚର‌୍ୟ୍ୟ ଲାଗୁଛିୁ। ଏମିତି ଘଟଣା ବିଷୟରେ ମନ୍ତ୍ରୀ କେମିତି ଅଗଚୋର ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣାରେ ଚୁପ୍ ରହିବା ଏବଂ ସଂପୂର୍ଣ୍ଣ ମାମଲାରୁ ପଛଘୁଞ୍ଚା ଦେବା ପଛରେ କୌଣସି ବାହ୍ୟଚାପ ରହିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗତ ରବିବାର ଅପରାହ୍ନ ପ୍ରାୟ ୫ଟା ବେଳେ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥିଲା। ଶତାଧିକ ଲୋକ ଥାନା ଘେରାଉ କରି ଭିତରେ ଭଙ୍ଗାରୁଜା କରିଥିଲେ। ଯିଏ ଯାହା ପାରିଲା ସବୁ ଉଠାଇ କଚାଡ଼ି ଚାଲିଥିଲା। ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଚୁରମାର୍ ହୋଇଯାଇଥିଲା। ପ୍ରାୟ ୧୫ ମିନିଟ୍ ଧରି ଖୁଲମଖୁଲା ଥାନାରେ ଆତଙ୍କରାଜ ଚାଲିଥିଲା। ପୋଲିସ ଆତଙ୍କକାରୀଙ୍କ ସାମ୍ନାରେ ଅସହାୟ ନଜର ଆସିଥିଲା। ଏହି ସଂଘବଦ୍ଧ ଆକ୍ରମଣକୁ ଅଟକାଇବା ପାଇଁ ସାହସ କରି ପାରି ନ ଥିଲା ପୋଲିସ। ମନଇଚ୍ଛା ଭଙ୍ଗାରୁଜା ସାରିବା ପରେ ଉତ୍ତ୍ୟକ୍ତ ଲୋକେ ପାଖାପାଖି ୧୨ଟି ଗାଡ଼ିରେ ପଳାଇଥିଲେ। ତେବେ ଏସବୁ ଘଟଣା ବରଗଡ଼ ପୋଲିସର ପାରିବାପଣିଆକୁ ପଦାରେ ପକାଇଛି।