Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଲେଷ୍ଟାଇନଙ୍କ ବଦଳରେ ୧ ଲକ୍ଷ ଭାରତୀୟ କର୍ମଜୀବୀଙ୍କୁ କାମରେ ରଖିବାକୁ ଚାହୁଁଛି ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ଜାରି ଲଢେଇ ଥମିବା ପରିବର୍ତ୍ତେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଉଭୟ ପକ୍ଷରୁ ହଜାର ସଂଖ୍ୟକ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ବିଶେଷ କରି ଗାଜା ପଟ୍ଟି ଧ୍ଵସ୍ତ ବିଧ୍ଵସ୍ତ ହୋଇ ପଡିଛି। ଏହା ମଧ୍ୟରେ ଇସ୍ରାଏଲ ଗାଜାର ନାଗରିକଙ୍କୁ ନିଜ ଦେଶରେ କାମ କରିବା ଉପରେ ରୋକ୍ ଲଗାଇ ଦେଇଛି। ଇସ୍ରାଏଲର କନଷ୍ଟ୍ରକ୍ସନ ଇଣ୍ଡଷ୍ଟ୍ରୀ ୯୦ ହଜାର ପାଲେଷ୍ଟାଇନଙ୍କ ସ୍ଥାନରେ ଏକ ଲକ୍ଷ ଭାରତୀୟ ଶ୍ରମଜୀବୀଙ୍କ ନିଯୁକ୍ତି ପାଇଁ ଅନୁମତି ମାଗିଛି।

ଓ୍ଵେଷ୍ଟ ବ୍ୟାଙ୍କ ଭଏସ ଅଫ ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ବିଲଡର୍ସ ଆସୋସିଏସନର ଉପାଧ୍ୟକ୍ଷ ହ୍ୟାମ ଫିଗିଲିନ କହିଛନ୍ତି, ଆମେ ସଂପ୍ରତି ଭାରତ ସହ ଆଲୋଚନା କରୁଛୁ। ଆମେ ନିଜ ପ୍ରସ୍ତାବର ମଞ୍ଜୁରୀ ପାଇଁ ଇସ୍ରାଏଲ ସରକାରଙ୍କ ଅନୁମତି ଲୋଡିଛୁ। ଆମ ଅନୁସାରେ ଇସ୍ରାଏଲକୁ ସୂଚାରୁ ଭାବେ ଚଲାଇବା ପାଇଁ ଭାରତରୁ ୫୦ ହଜାରରୁ ଏକ ଲକ୍ଷ ଶ୍ରମିକ ଆଣିବାର ଆବଶ୍ୟକତା ରହିଛି। ଚଳିତ ବର୍ଷ ମେ ମାସରେ ଇସ୍ରାଏଲ ଭାରତ ସହିତ ଏକ ରାଜିନାମାରେ ସ୍ଵାକ୍ଷର କରିଛି, ଯାହାରି ଆଧାରରେ ୪୨ ହଜାର ଭାରତୀୟଙ୍କୁ ଇସ୍ରାଏଲରେ କାମ କରିବାର ଅନୁମତି ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଇସ୍ରାଏଲରେ ନିର୍ମାଣ ସେକ୍ଟରରେ କାମ ପାଇଁ ୨୫ ପ୍ରତିଶତ ପାଲେଷ୍ଟାଇନଙ୍କ ସାହାଯ୍ୟ ନିଆଯାଏ। ଏଥିରୁ ୧୦ ପ୍ରତିଶତ ଶ୍ରମଜୀବୀ ଗାଜାରୁ ଆସିଥାନ୍ତି। ହାମ ଫିଗିଲିନ କହିଛନ୍ତି, ଆମେ ଯୁଦ୍ଧ ମଝିରେ ଫସିଛୁ। ବର୍ତ୍ତମାନ ପାଲେଷ୍ଟାଇନ ଲୋକଙ୍କୁ ଇସ୍ରାଏଲରେ କାମ କରିବାର ଅନୁମତି ଦିଆଯିବ ନାହିଁ।

ଯୁଦ୍ଧ ପୂରର୍ବରୁ ଗାଜାର ୧୮ ହଜାର ନାଗରିକଙ୍କୁ ଇସ୍ରାଏଲରେ ଛୋଟ ମୋଟ କାମ କରିବାର ଅନୁମତି ମିଳିଥିଲା। ସେହି ସମୟରେ ଗାଜାର ବେରୋଜଗାରୀ ହାର ୫୦ ପ୍ରତିଶତ ଥିଲା। ଗାଜା ଲୋକଙ୍କୁ ଇସ୍ରାଏଲ କାମ କରିବା ପାଇଁ ପରମିଟ୍ ଲାଗି ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଇସ୍ରାଏଲ ବର୍ତ୍ତମାନ ପାଲେଷ୍ଟାଇନ ଲୋକଙ୍କ ବଦଳରେ ଭାରତର ଏକ ଲକ୍ଷ ଲୋକଙ୍କୁ କାମରେ ରଖିବାକୁ ଚାହୁଁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ