Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିରରେ ଠେଲାପେଲା, ୧୦ରୁ ଉର୍ଦ୍ଧ୍ଵ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁ ଆହତ

ପୁରୀ: ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା। ସାତପାହାଚ ଓ ଘଣ୍ଟିଦ୍ଵାର ନିକଟରେ ପ୍ରବଳ ଭିଡ଼ରୁ ଠେଲାପେଲା ହେବାରୁ ୧୦ରୁ ଉର୍ଦ୍ଧ୍ଵ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। କିଛି ଅଣନିଶ୍ଵାସୀ ହୋଇଥିବା ପଡ଼ିଥିବା ବେଳେ କେତେକଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡ଼ିଛି। ପୁରୀ ବଡ଼ ମେଡିକାଲରେ ଆହତଙ୍କ ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମଙ୍ଗଳାଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ମଧ୍ୟ ଏକକାଳୀନ ମନ୍ଦିରକୁ ଛଡ଼ାଯାଇଥିଲା। ଫଳରେ ସାତପାହାଚ ଓ ଘଣ୍ଟି ଦ୍ଵାର ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। ପୋଲିସ ଓ ଜେଟିପିମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଆତହଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଆହତ ହବିଷ୍ୟାଳୀ ଓ ଭକ୍ତମାନଙ୍କ କହିବା କଥା ହେଲା ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢି ଯାଇଥିଲେ। ଫଳରେ ବହୁ ଭକ୍ତ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି। କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର‌୍ୟ୍ୟାଳୟରେ ରଖି ସେଠାରେ ଫ୍ୟାନ୍ ଓ ଏସି ଲଗାଇ ଶୋଇଦେଇଥିଲେ। ପରେ ଆହତମାନଙ୍କୁ ପର‌୍ୟ୍ୟାୟକ୍ରମେ ମେଡିକାଲକୁ ପଠାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେମାନେ ଫେରିଥିବା ସୂଚନା। ତେବେ ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।