Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୦ ଘଣ୍ଟା ଓ ୪୦ ଜୀବନ, ବାସ୍ ଗୋଟିଏ ପାଇପ୍ ପାଲଟିଛି ଜୀବନ; ରେସ୍କ୍ୟୁ ପାଇଁ ଲାଗିବ ଆହୁରି ସମୟ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪୦ ଜୀବନକୁ ବଞ୍ଚାଇବାର ଲଢେଇ ୫୦ ଘଣ୍ଟା ଧରି ଜାରି ରହିଛି। ହେଲେ ଏ ପର୍ଯ୍ୟନ୍ତ ଆଶାନୁରୂପ ସଫଳତା ମିଳିନାହିଁ। ରବିବାର ସକାଲଠୁ ଶ୍ରମିକଙ୍କ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି। ବହୁତ ମୁସ୍କିଲ ଅବସ୍ଥାରେ ଚାଲିଥିବା ଅପରେସନକୁ ଏବେ ଆହୁରି ସମୟ ଲାଗିପାରେ। ଯମୁନେତ୍ରୀ ରାଜମାର୍ଗର ଧରାସୁ-ବଡ଼କୋଟ ମଧ୍ୟରେ ସିଲକ୍ୟାରାରେ ଚାରିଧାମ ଅଲ୍ ଓ୍ଵେଦର ରୋଡ୍ ପ୍ରକଳ୍ପ ଆଧାରରେ ନିର୍ମାଣଧୀନ ସୁଡ଼ଙ୍ଗର ଗୋଟିଏ ଅଂଶ ଭୁଶୁଡ଼ି ଯିବାରୁ ୪୦ ଶ୍ରମିକ ଭିତରେ ଫସି ରହିଛନ୍ତି।

ଆଶ୍ଵସ୍ତିକର କଥା ଅତଡ଼ା ପଛରେ ଅନ୍ଧାର ଭିତରେ ଫସି ରହିଥିବା ଶ୍ରମିକ ସୁରକ୍ଷିତ ଅଛନ୍ତି। ସୁଡ଼ଙ୍ଗରେ ପାଣି ବାହାର କରିବା ପାଇଁ ଲାଗିଥିବା ପାଇପଲାଇନ ବର୍ତ୍ତମାନ ଶ୍ରମିକଙ୍କ ପାଇଁ ଜୀବନରେଖା ପାଲଟିଛି। ଏହି ପାଇପ୍ ଜରିଆରେ ସେମାନଙ୍କ ନିକଟକୁ ପାଣି, ଖାଦ୍ୟ ଓ ଅକ୍ସିଜେନ ପଠାଯାଉଛି। ଏହା ଜରିଆରେ ଲଗାତାର ଆଲୋଚନା କରାଯାଇ ସେମାନଙ୍କୁ ସାହାସ ଦିଆଯାଉଛି। ସୁଡ଼ଙ୍ଗରେ ଏ ପର୍ଯ୍ୟନ୍ତ ୧୫ରୁ ୨୦ ମିଟର ଯାଏ ଅତଡ଼ାକୁ ହଟା ଯାଇଛି। ହେଲେ ବାରମ୍ବାର ଉପରୁ ଅତଡ଼ା ଖସୁଥିବା କାରଣରୁ ରେସ୍କ୍ୟୁ ଅପରେସନ ବିଳମ୍ବ ଘଟୁଛି।

ଟ୍ରଞ୍ଚ ଲେସ୍ ଟେକନିକ ବ୍ୟବହାର

ଅତଡ଼ାକୁ ହଟାଇବା ପାଇଁ ସଫଳତା ନ ମିଳିବାରୁ ବର୍ତ୍ତମାନ ଷ୍ଟିଲର ୮୦୦ ଏମଏମର ମୋଟା ପାଇପ୍ ସାହାରାରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଟ୍ରଞ୍ଚ ଲେସ ଜ୍ଞାନକୌଶଳର ସାହାରା ନିଆଯାଇଛି। ଏହା ଜରିଆରେ ମାଟି ନ ଖୋଳି ପାଇପକୁ ବିଛାଇ ଦିଆଯାଏ। ଏବେ ଗୋଟିଏ ପରେ ଗୋଟିଏ ପାଇପକୁ ଅତଡ଼ା ଭିତରେ ପଶାଇ ଶ୍ରମିକଙ୍କ ଯାଏ ଟନେଲ କରିବାକୁ ପ୍ରସ୍ତୁତ କରାଯାଉଛି। ଏହା ପରେ ପାଇପ ଭିତରେ ଶ୍ରମିକମାନେ ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଆସିପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ