ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡି ଗୋଷ୍ଠି କନ୍ଦଳ ପଦାରେ ପଡିଛି। ବିଧାୟକଙ୍କ ପ୍ରତି ଦୀର୍ଘ ଦିନରୁ ଥିବା ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ କୁଲୁଣ୍ଡିରେ ହୋଇଥିବା ସାଙ୍ଗଠନିକ ବୈଠକରେ ଦେଖାଯାଇଛି। ବିଧାୟକ ଓ ଜମନକିରା ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପକୁ ବିରୋଧ କରିବାରୁ ବିଧାୟକଙ୍କ ସମର୍ଥକ ଓ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠିଙ୍କ ମଧ୍ଯରେ ହାତାହାତି ହୋଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।ଜମନକିରା ବ୍ଲକର କୁଲୁଣ୍ଡି, ବଡରମା, ଖର୍ସନମାଲ ଓ ମୁଣ୍ଡେନପାଲି ପଞ୍ଚାୟତର ସାଙ୍ଗଠନିକ ବୈଠକ ମଙ୍ଗଳବାର କୁଲୁଣ୍ଡିର ଏକ ଫୁଟବଲ ପଡିଆରେ ଅନୁଷ୍ଠିତ ହୋଇଥିଲା।ଜମନକିରା ବ୍ଲକ ବିଜେଡି ସଂଯୋଜକ ତଥା କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଷାନଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ଅସନ୍ତୁଷ୍ଟ ଗୋଷ୍ଠି ବିଧାୟକଙ୍କୁ ସିଧାସଳଖ ବିରୋଧ କରି ଥିଲେ। ବିଧାୟକ କର୍ମୀ ମାନଙ୍କୁ ଅଣଦେଖା କରି ଗୋଷ୍ଠି ବିବାଦର ମଞ୍ଜି ବୁଣିଥିବା ସେମାନେ ଅଭିଯୋଗ କରିଥିଲେ। ଦୀର୍ଘ ଦିନ ଧରି ବିଜେଡି ପାଇଁ ସେମାନେ କାମ କରି ଆସୁଥିବା ବେଳେ ବିଧାୟକ ସେମାନଙ୍କୁ ଅଣଦେଖା କରି ବ୍ଲକ ଅଧ୍ୟକ୍ଷାଙ୍କ କଥାରେ ପରିଚାଳିତ ହୋଇଆସୁଥିବା ଅଭିଯୋଗ କରିଥିଲେ। କଥା କଟାକଟି ମଧ୍ୟରେ ବିଧାୟକଙ୍କ ସମର୍ଥକ ପ୍ରତିବାଦ କରିବାରୁ ଉଭୟ ଗୋଷ୍ଠିଙ୍କ ମଧ୍ଯରେ ଧସ୍ତାଧସ୍ତି ଓ ହାତାହାତି ହୋଇଥିଲା।ଫଳରେ କିଛି ସମୟ ପାଇଁ ବୈଠକ ସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ବିଧାୟକ ନାଏକଙ୍କ ଉପସ୍ଥିତିରେ ଏଭଳି ତୁମୁଳକାଣ୍ଡ ଘଟିଥିଲେ ମଧ୍ଯ ସେ ନୀରବଦ୍ରଷ୍ଟା ସାଜିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନିର୍ବାଚନ ଆଉ ହାତଗଣତି କେଇଟା ଦିନ ଥିବା ବେଳେ ସମଗ୍ର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠି ବିବାଦ ଦଳରେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏସମ୍ପର୍କରେ ବିଧାୟକଙ୍କୁ ଯୋଗାଯୋଗ କରାଯିବାରୁ ଫୋନ ରିସିଭ କରି ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।ଅନ୍ୟ ପକ୍ଷରେ ସଂଯୋଜକ ଭୁବନେଶ୍ବର କିଷାନଙ୍କ ମତାମତ ନେବାରେ ବିଧାୟକ ନାଏକଙ୍କୁ ଦୀର୍ଘ ଦିନରୁ କର୍ମୀମାନେ ବିଭିନ୍ନ ସମସ୍ୟା ବାବଦରେ ଜଣାଇଥିଲେ। ମାତ୍ର ବିଧାୟକ ଏଥିପ୍ରତି ଗୁରୁତ୍ବ ନ ଦେବାରୁ ଏଭଳି କାଣ୍ଡ ଘଟିଥିବା କହିଛନ୍ତି।