Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଂଲାଦେଶ ଆଡ଼େ ମୁହାଁଇବ ଛୋଟ ବାତ୍ୟା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆସନ୍ତାକାଲି ବାତ୍ୟାର ରୂପ ନେବ। ଏହା ସମୟକ୍ରମରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାତ୍ୟାର ରୂପ ନେଇ ବାଂଲାଦେଶ ଆଡ଼େ ମୁହାଁଇବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ସୃଷ୍ଟି ଲଘୁଚାପ ଗତକାଲି ଅବପାତରେ ପରିଣତ ହୋଇଥିଲା।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗଭୀର ଅବପାତ ଆଜି ଘଣ୍ଟାପ୍ରତି ୧୭ କିମି ବେଗରେ ଗତି କରୁଛି। ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କିମି, ଦୀଘାରୁ ୪୬୦ ଓ ବାଂଲାଦେଶ ଖେପୁପଡ଼ାରୁ ୬୧୦ କିମି ଦୂରରେ ରହିଛି। କାଳକ୍ରମେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାତ୍ୟାର ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ରୂପ ନେଇ ବାଂଲାଦେଶ ଉପକୂଳ ମୁହାଁ ହେବ। ୧୮ ତାରିଖ ସକାଳେ ବାଂଲାଦେଶର ମଙ୍ଗଲା-ଖେପୁପଡ଼ା ମଧ୍ୟରେ ଉପକୂଳ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୫୫ରୁ ୭୫ କିମି ବେଗରେ ରହିବାର ସମ୍ଭାବନା ରହିଛି।

ଏହି ଛୋଟ ବାତ୍ୟା ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ସହିତ ଗଞ୍ଜାମ, ପୁରୀ , ଜଗତସିଂହପୁର , କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାଜିଲ୍ଲାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ନେଇ କୃଷକଙ୍କୁ ସତର୍କ ସୂଚନା ଜାରି କରାଯାଇଛି।