Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ରାବିଡ଼ଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍, ଏହି ନାଁ ସବୁଠୁ ଆଗରେ

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ର ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ନିକଟରୁ ୬ ଓ୍ଵିକେଟ୍ ହାରିବା ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଯାଇଛି। ଏହି ପରାଜୟକୁ ଏକ ଯୁଗର ଅନ୍ତ ଭାବେ ବିବେଚନା କରାଯାଉଛି। କୁହାଯାଉଛି ଏହା ଅନେକ ବରିଷ୍ଠ ଖେଳାଳିଙ୍କ ଶେଷ ବିଶ୍ଵକପ୍ ଥିଲା। ଏବେ ରିପୋର୍ଟ ଆସିଛି ଯେ, ବର୍ତ୍ତମାନର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ମଧ୍ୟ ଏହି ପଦରେ ରହିବାକୁ ଚାହୁଁ ନାହାନ୍ତି। ଏମିତିରେ ରାହୁଲଙ୍କ ୨ ବର୍ଷର କଣ୍ଟ୍ରାକ୍ଟ ବିଶ୍ଵକପ୍ ୨୦୨୩ ସହ ଶେଷ ହୋଇଛି।

ଏହା ମଧ୍ୟ କୁହାଯାଉଥିଲା ଯେ, ବିସିସିଆଇ ଦ୍ରାବିଡ଼ଙ୍କ ଚୁକ୍ତି ଆହୁରି ବଢାଇପାରେ। କିନ୍ତୁ ଦ୍ରାବିଡ଼ ନିଜ ଆଡ଼କୁ ଏହି କଣ୍ଟ୍ରାକ୍ଟ ଆଗକୁ ବଢାଇବାକୁ ଚାହୁଁ ନାହାନ୍ତି। ଏମିତିରେ ଭାରତୀୟ ଦଳକୁ ଭିଭିଏସ୍ ଲକ୍ଷ୍ମଣଙ୍କ ରୂପେ ନୂତନ କୋଚ୍ ମିଳିପାରେ। ରାହୁଲ ଦ୍ରାବିଡ଼ଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣ ଅନେକ ଥର କୋଚ୍ ଭୂମିକା ନିର୍ବାହ କରିଛନ୍ତି। ଆଜିଠୁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ମଧ୍ୟ ଲକ୍ଷ୍ମଣ କୋଚ୍ ଦାୟିତ୍ଵ ସମ୍ଭାଳିବେ।

ଦ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଦ୍ରାବିଡ଼ ନିଜର କଣ୍ଟ୍ରାକ୍ଟ ଅବଧି ବଢାଇବାକୁ ବିସିସିଆଇକୁ ମନା କରି ଦେଇଛନ୍ତି। କିନ୍ତୁ ଦ୍ରାବିଡ ଭିଭିଏସ ଲକ୍ଷ୍ମଣଙ୍କ ସହ ଏନସିଏର ନିର୍ଦ୍ଦେଶକ ଭାବେ ନିଜର ଦାୟିତ୍ଵ ଅଦଳ ବଦଳ କରିବାକୁ ପ୍ରସ୍ତୁତ। ଦୀର୍ଘ ୨୦ ବର୍ଷ ସେ ଭାରତୀୟ କ୍ରିକେଟ୍ ଦଳରେ ଖେଳାଳି ଭାବେ ରହିବା ସହ ଗତ ଅନେକ ବର୍ଷ ଧରି କୋଚ୍ ଦାୟିତ୍ଵ ସମ୍ଭାଳି ଆସିଥାନ୍ତି। ତେଣୁ ଏବେ ସେ ଏନସିଏ ଦାୟିତ୍ଵ ସମ୍ଭାଳିବା ସହ ନିଜର ଗୃହନଗର ବେଙ୍ଗାଲୁରୁରେ ରହି ପାରିବେ।

ଅନ୍ୟପଟେ ଲକ୍ଷ୍ମଣ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ସମ୍ଭାଳିବାକୁ ଉତ୍ସୁକ। ବିଶ୍ଵକପ୍ ସମୟରେ ଲକ୍ଷ୍ମଣ ଏହି ସମ୍ବନ୍ଧରେ ଆଲୋଚନା ପାଇଁ ଅହମ୍ମଦାବାଦ ଯାଇଥିଲେ। ତାଙ୍କର ଭାରତୀୟ ଦଳର କୋଚ୍ ଭାବେ ଲମ୍ବା ସମୟ ପାଇଁ କଣ୍ଟ୍ରାକ୍ଟ କରାଯିବାର ସମ୍ଭାନା ରହିଛି। ତେଣୁ ଭାରତୀୟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ପୂର୍ଣ୍ଣକାଳୀନ କୋଚ୍ ଭାବେ ନିଜର ଯାତ୍ରା କରି ପାରନ୍ତି।