ପ୍ରେମିକର ଚାପରେ ପ୍ରେମିକାର ଆତ୍ମହତ୍ୟା


ବେଲଗୁଣ୍ଠା,23/11, ବିଭିନ୍ନ ସମୟରେ ଜଣେ ବିବାହିତା ମହିଳା ଯେ କୌଣସି କାରଣରୁ ମଧ୍ୟ ଅସ୍ୱାଭାବିକ ମୃତ୍ୟୁ ବରଣ କଲେ ଏହାର ଦୋଷ ଲଦି ଦିଆଯାଇଥାଏ ସ୍ୱାମୀ ଏବଂ ତାର ପରିବାର ଲୋକଙ୍କ ଉପରେ I ଉପଯୁକ୍ତ ତଦନ୍ତ ବିନା ମୃତ ମହିଳାଙ୍କ ସ୍ୱାମୀର ପରିବାର ଲୋକେ ଅକାରଣରେ ହତ୍ୟା ମାମଲାରେ ଛନ୍ଦି ହୋଇ ପଡିଥାନ୍ତି I କିନ୍ତୁ ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ପୋଲିସ୍ ର ଉପଯୁକ୍ତ ତଦନ୍ତ ବଳରେ ଏକ ପରିବାର ଏମିତି ଏକ ମିଥ୍ୟା ମାମଲାରେ ବର୍ତ୍ତି ଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ପ୍ରକୃତ ଦୋଷୀକୁ ପୋଲିସ୍ ଖୋଜି ପାଇବା ସହିତ କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୁଚନା ଦେଇଛନ୍ତି I ସୂଚନା ପ୍ରକାରେ ଗତ ଅକ୍ଟୋବର ଷୋହଳ ତାରିଖରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ଦୀପକ ଖଣ୍ଡୁଆଳଙ୍କ ସ୍ତ୍ରୀ ନିଖିତା ଖଣ୍ଡୁଆଳ ନିଜ ଶାଢୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା I ଘଟଣାରେ ଗାଙ୍ଗପୁର ପୋଲିସ୍ 17/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା I ନିଖିତାର ମାଆ ଏବଂ ଭାଇ ସୁରଟ୍ ରେ ରହୁଥିବା ବେଳେ ନିଖିତାର ଅଜା ବିଷ୍ଣୁଚକ୍ର ଗ୍ରାମର କାଶୀନାଥ ପ୍ରଧାନ ନିଖିତାକୁ ତାର ସ୍ୱାମୀ ଦୀପକଙ୍କ ସମେତ ଶାଶୁ, ଶଶୁର ଏବଂ ଦୁଇ ଦେଢଶାଶୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ I ଘଟଣାକୁ ଗାଙ୍ଗପୁର ପୋଲିସ୍ ଗୁରୁତ୍ୱର ସହିତ ନେଇ ତଦନ୍ତ କରି ଜାଣିପାରିଥିଲା ଯେ ଘଟଣା ଦିନ ଦୀପକ ସୁରଟରେ ଥିବାବେଳେ ନିଖିତାର ତିନି ବର୍ଷର ପୁଅ ସହିତ ଶାଶୁ ଶଶୁର ମାଛ ଧରିବାକୁ ଚାଲିଯାଇଥିଲେ I ନିଖିତାର ଦୁଇ ଦେଢ଼ ଶାଶୁ କେନ୍ଦୁପଦର ସ୍ଥିତ ନିଜ ନିଜ ଘରେ ଥିଲେ I ତେଣୁ ପୋଲିସ୍ ନିଖିତାର ମୃତ୍ୟୁ ପଛରେ ଶାଶୁ ଘର ଲୋକଙ୍କ ସମ୍ପୃକ୍ତି ନଥିବା ଅନୁମାନ କରିବା ସହ ତଦନ୍ତକୁ ଜୋରଦାର୍ କରିଥିଲା I ତଦନ୍ତରେ ପୋଲିସ୍ ଜାଣିବାକୁ ପାଇଥିଲା ଯେ ନିଖିତାର ଘର ହେଉଛି ଏକତାଳ I ସେ 2019 ମସିହାରେ ଖୁକୁଣ୍ଡିଆର ଦୀପକ ଖଣ୍ଡୁଆଳକୁ ବିବାହ କରିଥିଲା ଏବଂ 2020 ରେ ତାର ପୁଅ ଟିଏ ହୋଇଥିଲା I କିନ୍ତୁ ନିଖିତା ବିବାହ ପୂର୍ବରୁ ବିଷ୍ଣୁଚକ୍ର ଗ୍ରାମର ବସନ୍ତ ପାତ୍ର ସହିତ ପ୍ରେମ ସମ୍ପର୍କ ରଖିଥିଲା I ନିଖିତା ବିବାହ କରି ତାର ଛୁଆ ହେଲା ପରେ ମଧ୍ୟ ବସନ୍ତ ଜୋରଜବରଦସ୍ତ ନିଖିତା ସହ ପ୍ରେମ ସମ୍ପର୍କ ରଖିବା ସହ ଶାରୀରୀକ ସମ୍ପର୍କ ମଧ୍ୟ ରଖିଥିଲା I ଏପରିକି ସେ ସ୍ୱାମୀ ଦୀପକ ଖଣ୍ଡୁଆଳକୁ ଛାଡି ତା ସହିତ ଚାଲିଯିବା ପାଇଁ ନିଖିତାକୁ ଚାପ ପକାଇଥିଲା ପ୍ରେମିକ ବସନ୍ତ I ଏଥିରେ ନିକିତା ସ୍ୱାମୀଙ୍କୁ ଛାଡ଼ିବ କି ପ୍ରେମିକକୁ ଛାଡ଼ିବ କିଛି ସ୍ଥିର କରିପାରିନଥିଲା I ଫଳରେ ମାନସିକ ଦ୍ୱନ୍ଦରେ ସେ ଚିଡିଚିଡ଼ା ସ୍ଵଭାବର ହୋଇଯିବା ସହିତ ଆତ୍ମହତ୍ୟା କରିଥିବା ପୋଲିସ୍ ତଦନ୍ତରୁ ଜଣାପଡ଼ିଛି I ତେବେ ବସନ୍ତର ଚାପ ଯୋଗୁଁ ହିଁ ନିଖିତା ଆତ୍ମହତ୍ୟା କରିଥିବା ପୋଲିସ୍ ତଦନ୍ତରୁ ଜଣାପଡ଼ିବା ପରେ ଗାଙ୍ଗପୁର ପୋଲିସ୍ 803/23 ରେ ଏକ ମାମଲା ରୁଜୁ କରିବା ସହ ପ୍ରେମିକ ବସନ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I ତେବେ ଗାଙ୍ଗପୁର ପୋଲିସ୍ ର ଏହିଭଳି ନିରପେକ୍ଷ ତଦନ୍ତ ଯୋଗୁଁ ଏକ ପରିବାର ମିଥ୍ୟା ମାମଲାରୁ ବଞ୍ଚି ଯାଇଥିବାରୁ ଗାଙ୍ଗପୁର ପୋଲିସ୍ କୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି I ଗାଙ୍ଗପୁର ପୋଲିସ୍ ଭଳି ସମସ୍ତ ପୋଲିସ୍ ଅଧିକାରୀ ଉପଯୁକ୍ତ ଏବଂ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଧରିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି I

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।