Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ୩୬ତମ ବିଶ୍ଵ ଏଡସ୍ ଦିବସ ପାଳିତ

କଳାହାଣ୍ଡି,୦୧/୧୨-ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ରେଡକ୍ରସ କଲ୍ୟାଣମଣ୍ଡପଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଆଇସିଟିସି (ଏଡ଼ସ) ମିଳିତ ଆନୁକୂଲ୍ୟରେ ୩୬ତମ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏଡସ୍ ରୋଗର ସଂକ୍ରମଣ ରୋକିବା, ଏଚ୍ଆଇଭି ସଂକ୍ରମିତ ଲୋକକୁ ସମର୍ଥନ ଓ ଏହାର ନିରାକରଣ ଦିଗରେ ବ୍ୟାପକ ପ୍ରଚାର କରିବା ଉଦ୍ଦେଶ୍ୟରେ ଏଡସ ଦିବସ ସାରା ବିଶ୍ବରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ସଦରମହକୁମା ଡାକ୍ତରଖାନାରୁ ଏକ ଶୋଭାଯାତ୍ରା ବାହାରି ଏଡସ୍ ନିରାକରଣ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ଲାକାର୍ଡ ଧରି ସ୍ଲୋଗାନ ସହିତ ସହର ପରିକ୍ରମା କରି ରେଡକ୍ରସ୍ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ଜିଲ୍ଲା ରେଡକ୍ରସ ୟୁଥ ( ରେଡ ରିବନ) ସଭ୍ୟ, ସାରଳା ଜିଏନ୍ଏମ୍ ଟ୍ରେନିଂ ସେଣ୍ଟର , ମାଁ ମାଣିକେଶ୍ବରୀ ସିନିୟର ନର୍ସିଂ ଟ୍ରେନିଂ ସେଣ୍ଟର , ସରକାରୀ ଏଏନ୍ଏମ୍ ସେଣ୍ଟରର ଛାତ୍ରୀ ତଥା ଜୟପ୍ରକାଶ ନାରାୟଣ ସାନ୍ଧ୍ୟ ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ !ରେଡକ୍ରସ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସିଡିଏମ୍ଓ ଡ. ସୁଚେତା ପାଣି, ସହକାରୀ ଜିଲ୍ଲାପାଳ ଶରତ କୁମାର ସାହୁ, ଏଡିପିଏଚ୍ଓ ଡ. ନିହାରେନ୍ଦ୍ର ପଣ୍ଡା , ଡିଆଇପିଆର୍ ଓ ମନୋଜ କୁମାର ବେହେରା ଏବଂ ମୁଖ୍ୟବକ୍ତା ତଥା ଶିକ୍ଷାବିତ ସତ୍ୟସାଇ ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ । ଅତିଥିଗଣ ଏଡସ୍ ମହାମାରୀକୁ ରୋକିବାକୁ ହେଲେ ଏଚ୍ଆଇଭି ସଂକ୍ରମଣ ପ୍ରତିହତରେ ସମସ୍ତ ଉପାୟ ଅବଲମ୍ବନ, ଠିକ ଚିକିତ୍ସା ଓ ଔଷଧ ସେବନ, ଆଧ୍ୟାତ୍ମିକତା ଓ ନୈତିକତାକୁ ପାଥେୟ, ଗୋଷ୍ଠୀ ନେତୃତ୍ଵ, ଜୀବନସାଥୀ ପ୍ରତି ବିଶ୍ବସ୍ତତାକୁ ପ୍ରାଧାନ୍ୟ ଦେବାକୁ ଗୁରୁତ୍ଵ ଦେଇଥିଲେ । ସେଭଳି ଏଡ଼ସ ସମ୍ବନ୍ଧୀୟ ଚିତ୍ରାଙ୍କନ, ବତ୍କ୍ରୁତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଆଇସିଟିସି ପରମର୍ଶଦାତା ରାମଚନ୍ଦ୍ର ବସନ୍ତିଆ ଓ ଜ୍ଞାନ ରଞ୍ଜନ ପ୍ରଧାନ, ହିମାଂଶୁ ଓଝା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।