ରାଜସ୍ଥାନରେ ବଦଳୁ ନାହିଁ ପରମ୍ପରା, ମଧ୍ୟପ୍ରଦେଶରେ ଶିବରାଜ, ଛତିଶଗଡ଼ରେ ଚାଲିଛି କଡା ଟକ୍କର, ତେଲେଙ୍ଗାନାରେ କଂଗ୍ରେସ


ନୂଆଦିଲ୍ଲୀ: ଚାରି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ଆସି ସାରିଛି। ଏହା ଅନୁଯାୟୀ ବିଜେପି ଦମଦାର ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ମଧ୍ୟ ପ୍ରଦେଶରେ ପୁଣି ଥରେ ବିଜେପି ସରକାର ଗଠନ କରୁଥିବା ବେଳେ ରାଜସ୍ଥାନରେ ୫ ବର୍ଷିଆ ପରମ୍ପରା ବଜାୟ ରହିଛି। ଫଳରେ ରାଜସ୍ଥାନରେ କଂଗ୍ରେସକୁ ହଟାଇ ବିଜେପି ସ୍ପଷ୍ଟ ବହୁମତ ହାସଲ କରି ସରକାର ଗଠନ କରୁଥିବା ଭୋଟ୍ ଗଣତି ଟ୍ରେଣ୍ଟରୁ ଜଣା ପଡ଼ୁଛି। ବିଜେପି ଛତିଶଗଡ଼ରେ ମଧ୍ୟ କଂଗ୍ରେସକୁ ଚକିତ କରିଛି। ୯୦ ଆସନରୁ ବିଜେପି କେତେବେଳେ ଆଗରେ ତ କଂଗ୍ରେସ ଆଗରେ ରହିଛି। ଦୁଇ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେଣୁ ଏହି ରାଜ୍ୟରେ କିଏ ସରକାର ଗଢିବ ତାହା ଏବେଠୁ କହିବା ମୁସ୍କିଲ।

କଂଗ୍ରେସ ପାଇଁ ଗୋଟିଏ ଆଶ୍ଵସ୍ତିକର ଖବର ଏହା ଯେ, ଦଳ ତେଲେଙ୍ଗାନରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢୁଥିବା ଜଣା ପଡୁଛି। କର୍ଣ୍ଣାଟକ ପରେ ଦକ୍ଷିଣରେ ତେଲେଙ୍ଗାନାରେ ଦ୍ଵିତୀୟ ରାଜ୍ୟ ଭାବେ ଦଳ କ୍ଷମତାସୀନ ହେବ।

ମଧ୍ୟପ୍ରଦେଶରେ ଫୁଟିଲା ପଦ୍ମ

ଏ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁଯାୟୀ, ମଧ୍ୟପ୍ରଦେଶରେ ବିଜେପି ୧୪୫ଟି ସିଟରେ ଆଗରେ ରହି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ଦେଖିବାକୁ ମିଳିଛି। କ୍ଷମତା ଦଖଲ ପାଇଁ ସବୁ ଚେଷ୍ଟା ସତ୍ତ୍ଵେ କଂଗ୍ରେସ ୮୨ ସିଟରେ ଆଗରେ ରହି ବହୁ ପଛରେ ରହି ଯାଇଛି। ଅନ୍ୟ ଖାତାକୁ ୩ଟି ସିଟ୍ ଯାଉଥିବା ଦେଖିବାକୁ ମିଳିଛି। ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୧୬, ଯାହାକୁ ବିଜୟ ସହଜରେ ଜିତି ନେଇଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣା ପଡିଛି।

ରାଜସ୍ଥାନରେ ବଦଳିଲାନି ପରମ୍ପରା

ରାଜସ୍ଥାନରେ ଏଥର ମଧ୍ୟ ପୂର୍ବ ପରମ୍ପରା ବଜାୟ ରହିବାକୁ ଯାଉଛି। ଏହି ରାଜ୍ୟରେ ପ୍ରତ୍ୟେକ ୫ ବର୍ଷରେ ସରକାର ପରିବର୍ତ୍ତନ ହେଉଛି। ତେଣୁ କଂଗ୍ରେସକୁ କ୍ଷମତାଚ୍ୟୁତ କରି ବିଜେପି ସରକାର ଗଢିବାକୁ ଯାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ବିଜେପି ୧୦୪ଟି ସିଟରେ ଆଗୁଆ ରହିଥିବା ବେଳେ ୭୩ ସିଟରେ ଆଗୁଆ ରହି କଂଗ୍ରେସ ଦ୍ଵିତୀୟରେ ରହିଛି। ଅନ୍ୟ ଖାତାକୁ ୨୨ ସିଟ୍ ଯାଉଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଦେଖିବାକୁ ମିଳିଛି। ଏଠାରେ ସରକାର ଗଢିବା ପାଇଁ ଦରକାର ୧୦୦ ଆସନ, ଯାହା ବିଜେପି ହାସଲ କରୁଥିବା ଜଣା ପଡୁଛି।

ଛତିଶଗଡ଼ରେ କଂଗ୍ରେସକୁ ଝଟକା

ଛତିଶଗଡ଼ର ଟ୍ରେଣ୍ଡରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ବିଜେପି ଏମିତି ଟକ୍କର ଦେବ ବୋଲି କଂଗ୍ରେସ ଭାବି ପାରି ନ ଥିଲା। ଏକଜିଟ ପୋଲର ବିପରୀତ ବିଜେପି ଏଠାରେ କଂଗ୍ରେସଠୁ ଆଗରେ ରହିଛି। ବିଜେପି ୫୨ଟି ସିଟ୍ ଆଗରେ ରହି ସରକାର ଗଢିବାର ସମ୍ଭାବନା ରହିଛି। କଂଗ୍ରେସ ୩୭ଟି ସିଟରେ ଆଗରେ ଥିଲେ ହେଁ ଦଳକୁ ଶକ୍ତ ଧକ୍କା ଲାଗିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାର ମ୍ୟାଜିକ ନମ୍ବର ହେଉଛି ୪୬।

ତେଲେଙ୍ଗାନାରେ କଂଗ୍ରେସ

ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ କଂଗ୍ରେସକୁ ବଡ଼ ସଫଳତା ମିଳିବାକୁ ଯାଉଛି। କର୍ଣ୍ଣାଟକ ପରେ ଦ୍ଵିତୀୟ ରାଜ୍ୟ ଭାବେ କଂଗ୍ରେସ ଏଠାରେ ସରକାର ଗଢୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଦେଖିବାକୁ ମିଳିଛି। ବିଜେପିର ମଧ୍ୟ ଏଠାରେ ଅଭ୍ୟୁଦୟ ହୋଇଛି। ଆଉ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ଵାଧୀନ ବିଆରଏସକୁ ଶକ୍ତ ଧକ୍କା ଲାଗିଛି। କଂଗ୍ରେସ ୬୭ଟି ଆସନରେ ଆଗରେ ରହି ସରକାର ଗଠନ କରିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ବିଆରଏସ ୩୭ଟି ସିଟରେ ଆଗରେ ଥିଲେ ହେଁ ଦଳ ହାତରୁ କ୍ଷମତା ଖସୁଥିବା ଦେଖିବାକୁ ମିଳିଛି। ବିଜେପି ଏଠାରେ ୫ରୁ ୭ ସିଟ୍ ଜିତୁଥିବା ଟ୍ରେଣ୍ଡରୁ ଜଣା ପଡୁଛି।