ସ୍ଥଳଭାଗ ଆଡ଼େ ମୁହାଁଉଛି ମିଗଜୋମ, ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ଵର: ଉଗ୍ରରୂପ ଧାରଣ କରି ସ୍ଥଳଭାଗ ଆଡ଼େ ମୁହାଁଇଲା ବାତ୍ୟା ମିଗଜୋମ। ଆଗାମୀ ୩ ଘଣ୍ଟାରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ। ନେଲୋର-ମଛଲିପଟନମ ମଝି ବାପଟଲାରେ ସ୍ଥଳଭାଗ ଦେଇ ବାତ୍ୟା ମିଗଜୋମ ଅତିକ୍ରମ କରିବ। ଏବେ ଘଣ୍ଟା ପ୍ରତି ୧୨ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗ ଦେଇ ଏହା ଗତି କରୁଛି। ନେଲୋରରୁ ୨୦ ଓ ବାପଟଲାରୁ ୧୫୦ କିମି ଦୂରରେ ରହିଛି ମିଗଜୋମ। ଏହାରି ପ୍ରଭାବରେ ସର୍ବାଧିକ ୧୧୦ କିମି ବେଗରେ ପବନ ବହିପାରେ।
ନେଲୋର ଓ ମଛଲିପଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଭୀଷଣ ବାତ୍ୟା ରୂପ ନେଇ ବାପଟଲା ପାଖରେ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୯୦ରୁ ୧୨୦ କିମି ରହିବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ବାତ୍ୟା ପ୍ରଭାବରୁ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏସଆରସିଙ୍କ ନିର୍ଦ୍ଦେଶକ୍ରମରେ ଆସନ୍ତାକାଲି ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନଓ୍ଵାଡ଼ି କେନ୍ଦ୍ର, ବେସରକାରୀ ସ୍କୁଲ ସମସ୍ତକୁ ଛୁଟି ଘୋଷଣା କରାଯାଇଛି।
ଗତକାଲି ମାଲକାନଗିରି, କୋରାପୁଟ, ଗଜପତି ଆଦି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ମିଗଜୋମ୍ ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୫ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି। ଅତି ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାର ତଳି ଅଂଚଳ ରେ ଜଳମଗ୍ନ ସମସ୍ୟା ଓ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ରହିଛି। ଅନ୍ୟପଟେ ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ ଆଦି ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ଲାଗି ରହିଛି।