Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଳା ପୁଳା ଟଙ୍କା ବିଡ଼ା, ଏବେ ଟିଟିଲାଗଡ଼ରୁ ମିଳିଲା ୧୧ କୋଟି; ଗଣିଲେ ବି ସରୁନି ହିସାବ

ଟିଟିଲାଗଡ଼: ଗତ କିଛି ଦିନ ହେବ ଆୟକର ବିଭାଗ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ମଦ ବେପାରୀଙ୍କ ବିଭିନ୍ନ ଠିକଣାରେ ଚଢଉ ଜାରି ରଖିଛି। ଆୟକର ଫାଙ୍କି ଅଭିଯୋଗରେ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥା ଶିବଗଙ୍ଗା ଆଣ୍ଡ କମ୍ପାନିଜ୍‌ର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥା ଉପରେ ଚଢ଼ଉ ପରେ ଅଚଳ ଟଙ୍କା ଏବଂ ଧନ ସଂପତ୍ତି ଦେଖି ସମସ୍ତେ ହତଚକିତ ହୋଇ ପଡ଼ିଛନ୍ତି। ଘଟଣାରୁ ଦିନକୁ ଦିନ ଯେଉଁ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି, ତାହା ରାଜ୍ୟଠୁ ନେଇ କେନ୍ଦ୍ର ସରକାରଙ୍କୁ ବି ଆଚମ୍ବିତ କଲାଣି। ମଦ ବେପାରୀଙ୍କ ଘରେ ଗଚ୍ଛିତ ପୁଳା ପୁଳା ୫୦୦ ଟଙ୍କିଆ ନୋଟ୍ ବିଡ଼ା ଦେଖି ଆୟକର ବିଭାଗର କର୍ମଚାରୀଙ୍କ ଆଖି ଖୋସି ହୋଇ ଯାଉଛି। ଯିଏ ଦେଖୁଛି ସେ ଆଚମ୍ବିତ ହୋଇ ପଡ଼ୁଛି। ଆଇଟି ରେଡ୍ ପରେ ଟିଟିଲାଗଡ଼ର ଏସବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ ହୋଇଛି। ଗଣତି ଶେଷ ନେଇ ସମ୍ବଲପୁର ଏସବିଆଇ ଉପମହାପ୍ରବନ୍ଧକ ସୂଚନା ଦେଇଛନ୍ତି।

ଟିଟିଲାଗଡ଼ ଏସବିଆଇରେ ଗଣତିରୁ ମୋଟ୍ ୧୧ କୋଟି ଟଙ୍କା ମିଳିଛି। ଗଣତି ଟଙ୍କା ମଧ୍ୟରୁ ନକଲି କିମ୍ବା ୨୦୦୦ ଟଙ୍କିଆ ନୋଟ୍ ନଥିବା ଜଣା ପଡ଼ିଛି। ଏଥିରେ କେବଳ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ମିଳିଛି। ଏବେ ବଲାଙ୍ଗିର ଓ ସମ୍ବଲପୁର ମୁଖୀ ଶାଖାରେ ଟଙ୍କା ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦ କୋଟି ଟଙ୍କା ଗଣତି ସରିଲାଣି। ଆସନ୍ତାକାଲି ସୁଦ୍ଧା ଗଣତି ସରିଯିବ ବୋଲି ଆଇଟି ଅଧିକାରୀ ଆଶା କରିଛନ୍ତି। ଟଙ୍କା ଗଣତି ପାଇଁ ବିଭିନ୍ନ ସ୍ଥାନରୁ ୧୫ ମେସିନ ଓ ୧୦ କର୍ମଚାରୀ ମଗାଯାଇଛି।

ଚଢ଼ଉ ବେଳେ ବିଭିନ୍ନ ସ୍ଥାନରୁ ବହୁ ସୁନାଗହଣା, ସୁନା ବିସ୍କୁଟ୍ ଜବତ ହୋଇଛି। ହେଲେ ଏହାର ପରିମାଣ ସଂପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ସେହିଭଳି ଏହି ବେପାରୀମାନେ ଏଭଳି କେତେ ଟଙ୍କାର କାରବାର କରୁଥିଲେ ଯେ ସେମାନଙ୍କ ଘରେ ଏତେ ବିପୁଳ ପରିମାଣର ଅର୍ଥ ଜମା ହେଲା, ସେ ରହସ୍ୟ ଏଯାଏ ଆୟକର ଅଧିକାରୀ ଫିଟାଇନାହାନ୍ତି। ଉଲ୍ଲେଖନୀ, ପ୍ରଥମେ ଶିବଗଙ୍ଗା ଆଣ୍ଡ୍ କମ୍ପାନିଜ୍ ନାମରେ ସଂସ୍ଥା ଆରମ୍ଭ ହୋଇଥିଲା। ପରେ ଫର୍ଚୁନ୍ ସ୍ପିରିଟ୍ ନାମରେ ଆଉ ଏକ ସଂସ୍ଥା ଖୋଲା ଯାଇଥିଲା। ସେହି ଫର୍ଚୁନ ସ୍ପିରିଟ୍ ନାମରେ କୋଟି କୋଟି ଟଙ୍କାର ଋଣ କରାଯାଇଥିଲା। ଆଉ ଏବେ ଚିତ୍ର ସଭିଙ୍କ ସାମ୍ନାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ