ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଶାହା ଗେଷ୍ଟ ହାଉସ ରେ କୃଷକ ସଙ୍ଗଠନ ଉଦ୍ୟମ କ୍ରମେ ଆଜି ଜିଲ୍ଲାସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଜିଲ୍ଲା ସ୍ତରୀୟ ସାଂଗଠାନିକ ସମ୍ମିଳନୀ ଓ ସୁବର୍ଣ୍ଣପୁର ଜିଲ୍ଲା ରେ ମଣ୍ଡିଚାଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ସମ୍ମାନିତ ଅତିଥି ଭାବରେ ନବ ନିର୍ମାଣ କୃଷକ ସଙ୍ଗଠନ ର ବରିଷ୍ଠ ଉପଦେଷ୍ଟା ଡକ୍ଟର କୁଳମଣି ଓ ନବ ନିର୍ମାଣ କୃଷକ ସଙ୍ଗଠନ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର ଯୋଗ ଦେଇ ଚାଷୀଙ୍କୁ ଉଦବୋଧନ ଦେଇଥିଲେ।ବିଗତ ଦେଢ ଦଶନ୍ଧି ଧରି ନବ କୃଷକ ସଙ୍ଗଠନ ଚାଷୀଙ୍କୁ ପ୍ରାଇସ୍ , ପେନସନ , ପ୍ରେଷ୍ଟିଜ ପାଇଁ ନିରବଚ୍ଛିନ୍ନ ଭାବରେ ସଂଗ୍ରାମ ଜାରି ରହିଥିବା ଅକ୍ଷୟ କୁମାର କହିଛନ୍ତି । କଟନି ଛଟନି ବନ୍ଦ କର , ଚାଷୀଙ୍କୁ ବସ୍ତା ଦିଅ , ଚାଷୀଙ୍କୁ ସମ୍ମାନ ଦିଅ , ଶ୍ରୀଘ୍ର ମଣ୍ଡି ଖୋଲାଯାଉ ବୋଲି କୁହାଯାଇଥିଲା । ଏ ପର୍ଯ୍ୟନ୍ତ ଧାନମଣ୍ଡି ଖୋଲା ଯାଇନାହିଁ । ଯାହା ଫଳରେ ଅଦିନିଆ ବର୍ଷା ରେ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇଛି । ଅତିଶୀଘ୍ର ତଦନ୍ତ କରି ଚାଷୀଙ୍କୁ କ୍ଷୟକ୍ଷତି ଦେବାକୁ ଆଲୋଚନା ହୋଇଥିଲା । ଏଥର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସମସ୍ତ ଧାନମଣ୍ଡି ପରିଦର୍ଶନ ହେବ ବୋଲି ଜଣାପଡିଛି । ଧାନକିଣା ରେ ଅନିୟମିତତା ହେଲେ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇଥିଲେ ।
ଜିଲ୍ଲା ସ୍ତରୀୟ କୃଷକ ସମାବେଶ
