ନୂଆଦିଲ୍ଲୀ: ଲୋକସଭା ସୁରକ୍ଷା ଉଲ୍ଲଂଘନ ମାମଲାରେ ଗିରଫ ଚାରି ଜଣଙ୍କ ମଧ୍ୟରୁ ଅତି କମରେ ତିନି ଜଣ ବେରୋଜଗାର ଥିଲେ । ଦୁଇ ଜଣ ପରିବାର ଲୋକଙ୍କ କହିବା କଥା ଚାକିରି ମିଳୁ ନ ଥିବାରୁ ସେମାନେ ନିରାଶ ଏବଂ ଅବସାଦରେ ଥିଲେ । ମହୀଶୂର ନିବାସୀ ମନୋରଞ୍ଜନ ଡି(୩୩) ଇଞ୍ଜିନିୟରିଂରେ ବିଟେକ କରି ଏକ ଆଇଟି ଫର୍ମରେ କାମ କରୁଥିଲେ । ଚାକିରି ହରାଇବା ପରେ ସଂପ୍ରତି ସେ ନିଜ ପିତାଙ୍କୁ ଚାଷ କାମରେ ସାହାଯ୍ୟ କରୁଥିଲେ । ଲାତୁର ନିବାସୀ ଅମୋଲ ସିନ୍ଦେ(୨୫) ସେନାରେ ନିଯୁକ୍ତି ପାଇବାରେ ବିଫଳ ହୋଇଥିଲେ । ଜିନ୍ଦର ନୀଲମ ଆଜାଦ(୩୭) ଶିକ୍ଷକ ଚାକିରି ପାଇବାରେ ବିଫଳ ହୋଇଥିଲେ । ଚତୁର୍ଥ ଅଭିଯୁକ୍ତ ସାଗର ଶର୍ମା(୨୫) ଲଖନଉରେ ଇ ରିକ୍ସା ଚଳାଉଥିଲେ ।
ଆଜାଦଙ୍କ ମାଆ ସରସ୍ୱତୀ କହିଛନ୍ତି, ଆମେ ସ୍ୱଚ୍ଛଳ ପରିବାର ନାହୁଁ । ତଥାପି ଆମେ ପୁଅକୁ ବହୁ କଷ୍ଟରେ ପାଠ ପଢାଇ ଶିକ୍ଷିତ କରାଇଲୁ । ପୁଅ ବାରମ୍ବାର କହୁଥିଲା ଯେ, ଏତେ ପାଠ ପଢି ଲାଭ କଣ ଚାକିରିଟିଏ ପାଇଲି ନାହିଁ । ମୁଁ ମରି ଯାଇଥିଲେ ଭଲ ହୋଇଥାନ୍ତା । ଆଜାଦ ଯାହାଙ୍କୁ ସଂସଦ ବାହାରୁ ଗିରଫ କରାଯାଇଥିଲା, ସେ ୨୦୨୦-୨୧ର କୃଷି ଆଇନ ଓ ମହିଳା କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନରେ ସକ୍ରିୟତାର ସହ ଭାଗ ନେଇଥିଲା । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ପରି ସେ ମଧ୍ୟ ପୋଲିସ କଷ୍ଟଡିରେ ଥିଲେ ।
ମନୋରଞ୍ଜନଙ୍କ ପିତା ଦେବରାଜ ଡି ଦ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ଯେ, ପୁଅ ଯଦି କିଛି ଭୁଲ୍ କରିଛି, ତେବେ ସେ ମୋ ପୁଅ ନୁହେଁ । ମାତ୍ର ମୁଁ ଆପଣଙ୍କୁ ଜଣାଇ ଦେଉଛି ଯେ, ସେ ଭଲ ପିଲା । ମୋତେ ଜଣା ନାହିଁ ଯେ ସେ ଦିଲ୍ଲୀରେ ଅଛି । କଲେଜ ସମୟରେ ସେ ଜଣେ ଛାତ୍ର ନେତା ଥିଲା । କିନ୍ତୁ ଏହି ଘଟଣାରେ ସେ ସଂପୃକ୍ତ ଅଛି ବୋଲି ମୋତେ ଜଣା ନାହିଁ । ମୁଁ ତାର କାମକୁ ନିନ୍ଦା କରୁଛି ବୋଲି ପିତା ଦେବରାଜ କହିଛନ୍ତି । ମନୋରଞ୍ଜନ ଅବିବାହିତ ଏବଂ ଚାଷ କାମରେ ପିତାଙ୍କୁ ସାହାଯ୍ୟ କରୁଥିଲେ ।
ଅନ୍ୟ ଏକ ଅଭିଯୁକ୍ତ ଅମୋଲଙ୍କ ମାଆ କହିଛନ୍ତି, ସେନାରେ ଚାକିରି ପାଇବାରେ ବିଫଳ କାରଣରୁ ଅମୋଲ ବିଷାଦଗ୍ରସ୍ତ ଥିଲା । ଆମେ ଜାଣିନୁ ଯେ, ସେ କେଉଁ କାରଣରୁ ଏମିତି କରିଛି । କିନ୍ତୁ ସେ ବହୁତ ନିରାଶ ଥିଲା । ସବୁ ଉଦ୍ୟମ ପରେ ବି ଚାକିରିଟିଏ ପାଇ ପାରି ନ ଥିଲା । ପୁଅ କହୁଥିଲା, ଯଦି ଏତେ ପଢିବା ପରେ ବି ଚାକିରି ମିଳିବନି ତେବେ କଣ ଫାଇଦା ।
ଧନରାଜଙ୍କ ପିତା କହିଛନ୍ତି, ବୟସ ହୋଇ ଯାଇଥିବା କାରଣରୁ ଧନରାଜ ଅଗ୍ନିବୀର ପାଇଁ ଯୋଗ୍ୟ ନ ଥିଲା । ସେ ଅନ୍ୟ ବିକଳ୍ପ ଉପରେ ବିଚାର କରୁଥିଲା । ସେ ଅନେକ ଥର ସେନାରେ ଭର୍ତ୍ତି ପାଇଁ ଉଦ୍ୟମ କରିଥିଲା । ହେଲେ ଚାକିରି ନ ମିଳିବାରୁ ସେ ବିଷାଦଗ୍ରସ୍ତ ଥିଲା । ସାଗରଙ୍କ ପରିବାର ଲୋକଙ୍କ କହିବା କଥା ସେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ପାଇଁ ଯାଇଥିଲା । ସାଗର ବେଙ୍ଗାଲୁରୁରେ କାମ କରୁଥିଲା । ମାତ୍ର ଗତ ଦୁଇ ମାସ ହେବ ସେ ଭଡାରେ ଇ ରିକ୍ସା ନେଇ ଚଳାଉଥିଲା ।
ସୂଚନାଯୋଗ୍ୟ, ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ୨୨ ବର୍ଷ ପୂର୍ତି ଦିନ ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଦୁଇ ଜଣ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ଦୁଇ ଜଣ ଯୁବକ ଗୃହ ଭିତରେ ଆତଙ୍କ ଖେଳାଇଥିଲା । ସୁରକ୍ଷାକର୍ମୀମାନେ ସାଂସଦଙ୍କ ସହାୟତାରେ ଉଭୟଙ୍କୁ କାବୁ କରିଥିଲେ । ସେହି ସମୟରେ ସଂସଦ ବାହାରେ ଜଣେ ଯୁବକ ଓ ଜଣେ ଯୁବତୀ ନାରାବାଜି ଦେଇଥିଲେ । ଚାରି ଜଣଙ୍କୁ ପୋଲିସ ଗିରଫ କରିବା ସହ ଗତକାଲି କୋର୍ଟଙ୍କ ନିଷ୍ପତିକ୍ରମେ ୭ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି ।