ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମୁଣ୍ଡ ଟେକିବାରେ ଲାଗିଛି କରୋନା। ଭାରତର ବିଭିନ୍ନ ରାଜ୍ୟରେ କରୋନା କେସ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । କୋଭିଡ୍-୧୯ ସଂକ୍ରମଣର ନୂତନ ଭାରିଏଂଟ ଜେଏନ-୧ କେରଳରେ ଚିହ୍ନଟ ହେବା ପରେ ସରକାର ସମର୍ଗ ଦେଶରେ ସତର୍କ ସୂଚନା ଜାରି କରିଛନ୍ତି । ଗତ ୨୪ ଘଂଟାରେ ଦେଶରେ କରୋନାର ୩୩୫ ନୂତନ କେସ ରେକର୍ଡ କରାଯାଇଛି । ଅନ୍ୟପଟେ ଉତରପ୍ରଦେଶ ଓ କେରଳରେ କରୋନାରେ ପାଂଚ ଜଣଙ୍କ ମୃତ୍ୟୁ ଘଟିଛି । ଡବ୍ଲ୍ୟୁଏଚଓ ଭାରତ ସମେତ ଅନେକ ଦେଶରେ କରୋନାର ବଢୁଥିବା ରୋଗୀ ସଂଖ୍ୟା ନେଇ ଚିନ୍ତା ପ୍ରକାଶ କରିଛି । ଆଡଭାଇଜରି ଜାରି କରାଯାଇ କରୋନା ପ୍ରଟୋକୋଲର ପାଳନ କରିବାକୁ ଡବ୍ଲ୍ୟୁଏଚଓ ବିଭିନ୍ନ ଦେଶକୁ ପରାମର୍ଶ ଦେଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଂଟାରେ ଦେଶରେ କରୋନାର ୩୩୫ ନୂତନ କେସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢି ୧୭୦୧ରେ ପହଞ୍ଚିଛି । ଏପରିକି ଗତ ୨୪ ଘଂଟାରେ ଦେଶରେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । କେରଳରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉତରପ୍ରଦେଶରେ କରୋନା ଜଣଙ୍କ ଜୀବନ ନେଇଛି । କୋଭିଡ୍ କାରଣରୁ ୫, ୩୩, ୩୧୬ ଜଣଙ୍କ ମୃତ୍ୟୁ ଘଟି ସାରିଛି । କରୋନାରେ ଦେଶର ମୃତ୍ୟୁହାର ୧.୧୯ ପ୍ରତିଶତ ରହିଛି । ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବଢି ୪.୪୬ କୋଟି ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଜାତୀୟ ସୁସ୍ଥହାର ୯୮.୮୧ ପ୍ରତିଶତ ରହିଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଏ ପର୍ଯ୍ୟନ୍ତ କୋଭିଡ୍-୧୯ ଭ୍ୟାକ୍ସିନର ୨୨୦.୬୭ କୋଟି ଡୋଜ୍ ଦିଆସରିଛି । ତେବେ ସିଙ୍ଗାପୁରରୁ କରୋନାର ନୂତନ ଭାରିଏଂଟ ଜେଏନ-୧ ଚିହ୍ନଟ ହେବା ସଭିଙ୍କ ଚିନ୍ତା ବଢାଇ ଦେଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଭାରିଏଂଟ ସବୁଠୁ ଜଟିଳ ଓ ବିପଦଜ୍ଜନକ । ଏହା ବହୁ ଦ୍ରୁତ ଗତିରେ ବ୍ୟାପିଥାଏ । କିନ୍ତୁ ଅଦ୍ୟାବଧି ଏହା ସ୍ପଷ୍ଟ ହୋଇ ନାହିଁ ଯେ, କଣ ଏଥିରେ ମୃତ୍ୟୁ ସଂଖ୍ୟା ବଢିବ କି ନାହିଁ ? ସଦ୍ୟତମ ଘଟଣାରୁ ପ୍ରକାଶ ଯେ, ଏହି ନୂତନ ଭାରିଏଂଟ ଆମେରିକା ଓ ଚୀନ ସମେତ ଅନେକ ଦେଶର ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଛି ।