ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ପବିତ୍ର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀ ବିଗ୍ରହମାନଙ୍କ ହେଉଥିବା ବନକଲାଗି ନୀତି ପାଇଁ ପ୍ରାୟ ୪ ଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ ।
ସୂଚନା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ଣ ୪ଟାରୁ ରାତି ୮ ଘଟିକା ଯାଏଁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ । ଏହି ସମୟରେ ମହାପ୍ରଭୁଙ୍କ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।