Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତସିସିଟିଭି ସର୍ଭିଲାନ୍ସ ସିଷ୍ଟମ ଓ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନା1 କୋଟିରୁ ଉର୍ଦ୍ଧ୍ବ ବୟବରାଦରେ ଚୁରା ପାହାଡ ଇକୋ ଟୁରିଜମ ହେବ ଉନ୍ନତିକରଣ

କଳାହାଣ୍ଡି, ୨୦/୧୨ (ଜଗନ୍ନାଥ ନାଏକ) : ଆଜି ଦ୍ୱିତୀୟ ଦିନ କଳାହାଣ୍ଡି ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ନିରୀକ୍ଷଣ ନିମନ୍ତେ ଜୁନାଗଡ଼, ଧର୍ମଗଡ,କୋକସରା ବ୍ଲକ ଗସ୍ତ କରିଛନ୍ତି। ଏହି ଅବସରରେ ଧର୍ମଗଡ ଟାଉନରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମ ପାଇଁ ସ୍ଥାନୀୟ ଏସ ଡି ପି ଓ କାର୍ଯ୍ୟାଳୟ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5-ଟି ଅଧ୍ୟକ୍ଷଙ୍କ ସୁପାରିଶ କ୍ରମେ ପରିଷଦ ପକ୍ଷରୁ ସିସିଟିଭି ପାଇଁ 32.54 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ସିସିଟିଭି ସର୍ଭିଲାନ୍ସ ସିଷ୍ଟମ 42 ଗୋଟି କ୍ୟାମେରା ସହିତ ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ । ଅନ୍ୟପକ୍ଷେ କୋକସରାଠାରେ ନୂତନ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ଶ୍ରୀ ତ୍ରିପାଠୀ । ପରିଷଦ ପକ୍ଷରୁ ଏହାର କ୍ଷମତା ବୃଦ୍ଧି ନିମନ୍ତେ 10 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା ।
ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମ ପଞ୍ଚାୟତ ନିକଟବର୍ତ୍ତୀ ଚୁରା ପାହାଡକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ପରିଷଦ ପକ୍ଷରୁ ପୂର୍ବରୁ ୧୭ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ଗସ୍ତ ସମୟରେ କାର୍ଯ୍ୟର ସମୀକ୍ଷା କରିବା ସହ ଏହାକୁ ଏକ ଭବ୍ୟ ଇକୋ ଟୁରିଜିମ୍ ଭାବେ ଗଢି ତୋଳିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଜୁନାଗଡ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଏ ନେଇ ଏକି ବିସ୍ତୃତ ଖସଡା ପ୍ରସ୍ତୁତ କରି ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ । ଉକ୍ତ ସ୍ଥାନକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପରାମର୍ଶ ଦେବା ସହ ଆଉ 1 କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିବା ୨କୋଟି ୫୨ ଲକ୍ଷ ଅନୁଦାନରେ କୋକସରା ବ୍ଲକ ଅନ୍ତର୍ଗତ ଡୋକରି ଚଞ୍ଚରା ଜଳପ୍ରପାତ ର ଇକୋ ଟୁରିଜିମ୍ ର ଉନ୍ନତିକରଣ ଚାଲିଛି । ଏହାର ପରିଦର୍ଶନ କରି ଜଙ୍ଗଲ ସୁରକ୍ଷା ଏବଂ ମନ୍ଦିର କମିଟି ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଜୁନାଗଡ ବ୍ଲକର ତଲଯାରିଙ୍ଗ ନିକଟରେ ନୂତନ ଭାବେ ଗଢି ଉଠୁଥିବା ଶିଳ୍ପାଞ୍ଚଳ କ୍ଷେତ୍ର ପରିଦର୍ଶନ କରି ଇଥନୋଲ୍ ପ୍ଲାଣ୍ଟ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଶ୍ରୀ ତ୍ରିପାଠୀ । ଭାରତ ପୋଟାସ୍ ଲିଃ ର ତଥା ଇଡୋକୋ ର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଯୁବ ଉଦ୍ୟୋଗୀ ମାନଙ୍କ ଦ୍ଵାରା ଆହୁରି ଅଧିକ ଏସଏସଆଇ ୟୁନିଟ୍ କିପରି ଗଢ଼ି ଉଠିବ ତାହାପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି I ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଏହି ଇଥାନଲ୍ ପ୍ଲାଣ୍ଟ ୩୮ ଏକର ଜମିରେ ନିର୍ମାଣ କରାଯାଉଛି । ୨୧୯ କୋଟିର ପୁଞ୍ଜି ବିନିଯୋଗରେ ବାର୍ଷିକ 190KLPD ଇଥାନଲ୍ ଉତ୍ପାଦନ କରାଯାଇପାରିବ । ଏହି ପ୍ଲାଣ୍ଟ ନିର୍ମାଣ ଦ୍ବାରା ସ୍ଥାନୀୟ ନିଯୁକ୍ତି ମଧ୍ୟ ସମ୍ଭବ ହୋଇପାରିବ ।
ଗସ୍ତ ସମୟରେ କୋକସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପାଖ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିବା ବେଳେ ମା ସମଲେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ନିର୍ମିତ ଛେଳି ଚାଷ କ୍ଷେତ୍ର ପରିଦର୍ଶନ କରିଛନ୍ତି ଓ ‌ ମା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ କରିଥବା କୁକୁଡ଼ା ଚାଷ ଓ ଲଙ୍କା ଚାଷ ବୁଲି ଦେଖିଛନ୍ତି । ଶ୍ରୀ ତ୍ରିପାଠୀ ଡଙ୍ଗାପଲ୍ଲI ଗ୍ରାମରେ ୧୦ ହେକ୍ଟର ଜମିରେ ପାମୋଲିନ୍ ଚାଷ କରିଥିବା ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିବା ବେଳେ ଜିଲ୍ଲାରେ ଆଗକୁ 5 ହଜାର ଏକର ଜମିରେ ଏହି ଚାଷ କରାଯିବା ନେଇ ସୂଚନା ଦେଇଛନ୍ତି । ଏକ ଏକର ଜମିରୁ ବାର୍ଷିକ୧ କୋଟି ଟଙ୍କାର ଆୟ ସମ୍ଭବ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ଜୁନାଗଡ଼ ସହର ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିଦର୍ଶନ କରି ସେଠାରେ ଅନୁଷ୍ଠିତ ଏସ ଏଚ ଜି ରୁ ଏସ୍ ଏମ ଇ କାର୍ଯ୍ୟକ୍ରମରେ ଯୋଗଦେଇ ମାନଗୁନ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ହସ୍ତଶିଳ୍ପ ଟେରାକୋଟା କାମକୁ ପ୍ରଶଂସା କରିଛନ୍ତି । ମହିଳା ମାନଙ୍କ ପାଇଁ ୧୮ ଲକ୍ଷ ଅନୁଦାନରେ ନିର୍ମିତ ଅସମ୍ପୂର୍ଣ୍ଣ କୋଠାକୁ ସମ୍ପୁର୍ଣ୍ଣ କରିବା ପାଇଁ ଶ୍ରୀ ତ୍ରିପାଠୀ ପ୍ରତିଶୃତି ଦେଇଛନ୍ତି । ଅନ୍ୟପକ୍ଷେ ଧର୍ମଗଡ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ।
ଜୁନାଗଡ ବ୍ଲକର ତଲଯାରିଙ୍ଗ ଗ୍ରାମରେ ଯୁବ ମତ୍ସ୍ୟ ଚାଷୀ କେ.ସୁନୀଲ କୁମାରଙ୍କୁ ଭେଟିଥିବା ବେଳେ ଝରିଆଗୁଡା ସ୍ଥିତ ଉଦ୍ୟୋଗୀ ରାଜକିଶୋର ସାହୁଙ୍କ ମାଛ ଜାଆଁଳା ଉତ୍ପାଦନ ଓ ମାଛ ଚାଷ ମଧ୍ୟ ସେ ପରିଦର୍ଶନ କରିଛନ୍ତି । ଏନେଇ ସେ କହିଛନ୍ତି, କଳାହାଣ୍ଡି ଜିଲ୍ଲା ସର୍ବଦା ୩୦ ହଜାର ଟନ୍ ମାଛ ଉତ୍ପାଦନ କରି ଆଗରେ ରହିଛି ।
ଗସ୍ତ ଅବସରରେ ଜୁନାଗଡ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ଶ୍ରୀ ମହୋଦଧି ବାଗ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ବନଖଣ୍ଡ ଅଧିକାରୀ ଶ୍ରୀ ଆର୍. କଲେଇ ବରନ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ବିଶେଷଜ୍ଞ ସଦସ୍ୟ ଶ୍ରୀ ଅବିନାଶ ଠାକୁର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର , ଡିଡି ପ୍ଲାନିଂ ଶ୍ରୀକାନ୍ତ ଦଳେଇ , ଡି ଆଇ ପି ଆର୍ ଓ ମନୋଜ ବେହେରା , କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ