ଜାଡରେ ଥରୁଛି ଓଡିଶା, ୧୪ ସହରରେ ପାରଦ ୧୦ ଡିଗ୍ରୀ ତଳେ, ଜି. ଉଦୟଗିରି ସବୁଠୁ ଥଣ୍ଡା


ଭୁବନେଶ୍ୱର: ପ୍ରବଳ ଜାଡରେ ଥରୁଛି ସାରା ରାଜ୍ୟ । ହାଡଭଙ୍ଗା ଶୀତରେ କଲବଲ ସାଧାରଣ ଲୋକେ । ରାଜ୍ୟର ୧୪ ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ଏଥିରୁ ଜାଣିପାରୁଥିବେ ରାଜ୍ୟରେ କେମିତି ଅସହ୍ୟ ଶୀତ ଜାରି ରହିଛି । ୫ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି । କ୍ରମାଗତ କିଛି ଦିନ ହେବ ଜି.ଉଦୟଗିରିରେ ପାରଦ ଖସିବାରେ ଲାଗିଛି । ଫୁଲବାଣୀ ଦ୍ୱିତୀୟ ଓ କିରେଇ ତୃତୀୟରେ ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ଫୁଲବାଣୀରେ ପାରଦ ୭ ଡିଗ୍ରୀ ରହିଥିବା ବେଳେ କିରେଇରେ ୭.୫, ଅନୁଗୁଳ ଓ କୋରାପୁଟରେ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସେମିଳିଗୁଡାରେ ୮.୪, ଦାରିଙ୍ଗିବାଡିରେ ୮.୫, କେନ୍ଦୁଝର ଓ ରାଉରକେଲାରେ ୮.୬, ସୁନ୍ଦରଗଡରେ ୮.୮, ଭବାନୀପାଟଣାରେ ୮.୯ ଡିଗ୍ରୀ, ରାଣୀତାଲରେ ୯, ଝାରସୁଗୁଡାରେ ୯.୨ ଓ ସୋନପୁରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତର ପ୍ରକୋପ ଲାଗି ରହିଛି । ପ୍ରବଳ ଜାଡରେ ଥରୁଛନ୍ତି ରାଜଧାନୀବାସୀ । ଦୁଇ ସହରର ତାପମାତ୍ରା ୧୩ ଡିଗ୍ରୀ ଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ।