Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପାଳି ଦାସ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ପାଇଁ ଦାୟୀ କିଏ ?

ଝାରସୁଗୁଡା: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ସର୍ଭେଣ୍ଟ କ୍ଵାର୍ଟରରେ ରୋଷେୟାଙ୍କ ସନ୍ଦେହଜନକ ମୃତ୍ୟୁକୁ ପାଖାପାଖି ବର୍ଷେରୁ ଅଧିକ ସମୟ ବିତିଗଲାଣି। ରୋଷେୟା ଲଳିତ ସାହୁ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା, ରହସ୍ୟ ଘେରରେ ରହିଗଲା ଏହି ଘଟଣା। କେହି ମଧ୍ୟ ପ୍ରଶ୍ନ ଉଠାଇଲେ ନାହିଁ। ଏପରିକି ବିରୋଧୀ ଦଳ ମଧ୍ୟ ଅଧିକ କିଛି ମୁହଁ ଖୋଲିବାକୁ ଉଚିତ୍ ମଣିଲେ ନାହିଁ। ବୋଧହୁଏ ପରିବାର ବି କାହା ଚାପରେ ପଡି ମୁହଁ ଖୋଲିବାକୁ ସାହାସ କଲେ ନାହିଁ। ଘଟଣାରେ ନବ ଦାସ ବିବାଦ ଘେରକୁ ଆସିଥିଲେ। ଏବେ ତ ନବ ଦାସ ଆଉ ଦୁନିଆରେ ନାହାନ୍ତି। ତାଙ୍କର ରାଜନୈତିକ ଉତ୍ତରାଧିକାରୀ ହେଉଛନ୍ତି ଝିଅ ଦୀପାଳି। ଦୀପାଳିଙ୍କୁ ପ୍ରଶ୍ନ ଲଳିତଙ୍କ ଆତ୍ମହତ୍ୟା ହେଉ ବା ହତ୍ୟା ହୋଇଥାଉ, ଏଥିପାଇଁ ଦାୟୀ କିଏ ?

ଲଳିତ ଆତ୍ମହତ୍ୟା କରିଥିଲେ କି ? ଯଦି ଆତ୍ମହତ୍ୟା କରିଥିଲେ ତେବେ ତାଙ୍କ ଉପରେ କିଏ ଚାପ ପକାଉଥିଲେ କି ? କୌଣସି ପ୍ରସଙ୍ଗରେ ତାଙ୍କୁ ଭୟଭୀତ କରାଯାଉଥିଲା କି ? ଯେଉଁଭଳି ଢଙ୍ଗରେ ମୃତଦେହ ରାତି ଅଧିଆ ପୋଷ୍ଟମର୍ଟମ କରି ତରବରିଆ ଭାବେ ଢେଙ୍କାନାଳ ଜିଲ୍ଲା ସ୍ଥିତ ତାଙ୍କ ଗାଁକୁ ଆଣି ପୋଲିସ୍ ଉପସ୍ଥିତିରେ ଶବଦାହ କରାଗଲା, ତାକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ ? ଦୀପାଳି ତ ବର୍ତ୍ତମାନ ଝାରସୁଗୁଡା ଉପ ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀ। ଯଦି ତାଙ୍କୁ ବର୍ତ୍ତମାନ ପ୍ରଶ୍ନ କରାଯାଏ ରୋଷେୟା ଲଳିତଙ୍କ ଘଟଣା ପାଇଁ ଦାୟୀ କିଏ ? କଣ ଦୀପାଳି ଏହାର ଉତ୍ତର ଦେଇ ପାରିବେ କି ?

୨୨ ବର୍ଷୀୟ ଲଳିତ କୁମାର ସାହୁଙ୍କ ଘର ହିନ୍ଦୋଳ ଡେଙ୍ଗ ବରେଇ ଗାଁରେ। ନବ ଦାସଙ୍କ ଝାରସୁଗୁଡା ଘରେ ରୋଷେୟା ଭାବେ ବର୍ଷେ କାମ କରିଥିଲେ। ସେ ମନ୍ତ୍ରୀଙ୍କ ବାସଭବନରେ ବା ସର୍ଭେଣ୍ଟ କ୍ଵାର୍ଟରରେ ରହୁଥିଲେ। କୁହାଯାଏ ସର୍ଭେଣ୍ଟ କ୍ଵାର୍ଟରରେ ସେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ହେଲେ ଝାରସୁଗୁଡା ଟାଉନଥାନା ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଝାରସୁଗୁଡାରୁ ୩୦୦ କିମି ଦୂର ଡେଙ୍ଗ ବରେଇ ଗାଁକୁ ଆଣି ତରବରିଆ ଭାବେ ଶବଦାହ କରି ଦେଲେ। ଯାହାକୁ ନେଇ ବଡ ପ୍ରଶ୍ନବାସୀ ସୃଷ୍ଟି ହୋଇଥିଲା।

ଶାସକ ବିଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା ପରେ ଦୀପାଳି ଦାସ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେ ବାପାଙ୍କ ଜନ ସେବା କରିବେ। ଲୋକଙ୍କ ସୁଖ ଦୁଃଖ ବୁଝିବେ। ବାପା ନବ ଦାସ କରିଥିବା ଜନକଲ୍ୟାଣକାରୀ କାମକୁ ଆଗକୁ ନେବେ। ଯଦି ଦୀପାଳିଙ୍କର ସମାଜ ସେବା କରିବାର ସ୍ଵପ୍ନ ଏବଂ ଲକ୍ଷ୍ୟ ରହିଛି ତେବେ ସେ ଲଳିତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇ ତାଙ୍କ ପରିବାରକୁ ନ୍ୟାୟ ଦେବେ କି ? ଏହି ପ୍ରଶ୍ନ ଅଧିକାଂଶ ଲୋକଙ୍କୁ ଅଯୁକ୍ତିକର ଏବଂ ଅରୁଚିକର ଲାଗିପାରେ। ତାଙ୍କ ଘରେ ଏତେ ବଡ ଘଟଣା ଘଟିଗଲା ଦୀପାଳି ଏହାର ସତ୍ୟାସତ୍ୟ ବିଷୟରେ ଅଗୋଚର ନଥିବେ।

ବାପା ନବ ଦାସ ବଞ୍ଚିଥିବା ସମୟରେ ଦୀପାଳି ତାଙ୍କ ସହ ସଭା ସମିତି, ରାଲି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। କହିବାକୁ ଗଲେ ସେ ରାଜନୀତିରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସକ୍ରିୟ ଥିଲେ। ନବଙ୍କ ରାଜନୈତିକ କ୍ଷେତ୍ର ସହ କାରବାର କଥା ମଧ୍ୟ ଦୀପାଳି ନିଶ୍ଚିତ ରୂପେ ବୁଝୁଥିବେ। ତେବେ ରୋଷେୟା ଲଳିତଙ୍କ ଘଟଣା ପଛର ପ୍ରକୃତ ରହସ୍ୟ କଣ ଦୀପାଳି ଜାଣିନଥିବା କଥାକୁ ଏଡାଇ ଦିଆଯାଇନପାରେ। ଗାନ୍ଧୀ ପରିବାରର ଶାସନ ସମୟରେ ପ୍ରତିଟି ଗୁରୁତ୍ଵପୂର୍ଣ୍ଣ ଘଟଣାକୁ ନେଇ ଯଦି ରାହୁଲଙ୍କୁ ପ୍ରଶ୍ନ କରାଯାଉଛି ଏବଂ କୈଫୟତ ମଗାଯାଉଛି ତେବେ ଠିକ୍ ସେମିତି ରୋଷେୟା ଲଳିତ କୁମାର ସାହୁଙ୍କ ଘଟଣାରେ ଦୀପାଳିଙ୍କୁ କାହିଁକି ପ୍ରଶ୍ନ କରାଯିବ ନାହିଁ ?

ନବ ଦାସ ଯେମିତି ବିବାଦ ଘେରକୁ ଟାଣି ହୋଇ ଯାଇଥିଲେ ଠିକ୍ ସେହିପରି ଦୀପାଳିଙ୍କଠୁ ଉକ୍ତ ରହସ୍ୟଜନକ ଘଟଣାରେ ଉତ୍ତର ମାଗିବାରେ କୌଣସି ଭୁଲ୍ ମଧ୍ୟ ନୁହେଁ। ଏମିତିରେ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ପରିବାରଙ୍କୁ ନ୍ୟାୟ ମିଳିବା ନେଇ ଦୀପାଳି କେତେ ବ୍ୟଗ୍ର ତାହା ତାଙ୍କର ଆଭିମୁଖ୍ୟରୁ ଜଣା ପଡୁଛି। ନିଜ ବାପାଙ୍କ ପ୍ରକୃତ ହତ୍ୟାକାରୀ କିଏ ସେ ଥରୁଟିଏ ବି ପ୍ରଶ୍ନ କରି ନାହାନ୍ତି। ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସମୟରେ ଦୀପାଳି ସ୍ପେନର ରାଜଧାନୀ ବାର୍ସେଲୋନାରେ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ