ଭୁବନେଶ୍ୱର: ପ୍ରବଳ ଜାଡରେ ଥରୁଛି ସାରା ରାଜ୍ୟ । ହାଡଭଙ୍ଗା ଶୀତରେ କଲବଲ ସାଧାରଣ ଲୋକେ । ରାଜ୍ୟର ୧୬ ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସହ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଗତକାଲି ଏଠାରେ ପାରଦ ୬ ଡିଗ୍ରୀ ରହିଥିଲା । ସିମିଳିଗୁଡା ଦ୍ୱିତୀୟ ଓ ଫୁଲବାଣୀ ତୃତୀୟ ଥଣ୍ଡା ସହର ରହିଛି ।
ପାଣିପାଗ ବିଭାଗ ଅନୁଯାୟୀ, ସିମିଳିଗୁଡାରେ ୫.୭ ଡିଗ୍ରୀ ପାରଦ ଥିବା ବେଳେ ଫୁଲବାଣୀରେ ପାରଦ ୬.୫ ଡିଗ୍ରୀ ରହିଛି । ସେହିପରି କିରେଇରେ ୬.୬, କୋରାପୁଟରେ ୭.୬, ଅନୁଗୁଳ ଓ ଦାରିଙ୍ଗବାଡିରେ ୮, ରାଉରକେଲାରେ ୮.୩, କେନ୍ଦୁଝରରେ ୮.୪, ସୁନ୍ଦରଗଡରେ ୮.୬ ଡିଗ୍ରୀ ରହିଛି । ଏହିପରି ଭବାନୀପାଟଣା, ଝାରସୁଗୁଡା, ନବରଙ୍ଗପୁରରେ ୯ ଡିଗ୍ରୀ, ରାଣୀତାଲ ୯.୧, ସୋନପୁରରେ ୯.୭ ଓ ବଲାଙ୍ଗିରରେ ୧୦ ଡିଗ୍ରୀ ରହିଛି । ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତର ପ୍ରକୋପ ଲାଗି ରହିଛି । ପ୍ରବଳ ଜାଡରେ ଥରୁଛନ୍ତି ରାଜଧାନୀବାସୀ । ଭୁବନେଶ୍ୱରରେ ୧୨.୪ ଓ କଟକରେ ୧୨.୮ ଡିଗ୍ରୀ ଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ।