ନୂଆଦିଲ୍ଲୀ: ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ଭବ୍ୟ ପ୍ରସ୍ତୁତି ଚାଲିଛି । ଜାନୁଆରୀ ୨୨ରେ ହେବାକୁ ଥିବା ଆୟୋଜନରେ ପାଖାପାଖି ୮ ହଜାର ଲୋକ ଉପସ୍ଥିତ ରହିବେ । ଏଥିରେ ବିଶିଷ୍ଠ ଉଦ୍ୟୋଗପତି, ନେତା, ସାଧୁ ସନ୍ଥ, ସେଲିବ୍ରିଟି ଯୋଗ ଦେବେ । ବିରୋଧୀ ଦଳର ନେତା ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ପାର୍ଟିର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଏଚଡି ଦେବେଗୌଡାଙ୍କୁ ମଧ୍ୟ ଡକାଯାଇଛି । ଏହା ମଧ୍ୟରେ ପିଟିଆଇ ସୂତ୍ରରୁ ପ୍ରକାଶ ଯେ, ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମରେ କଂଗ୍ରେସର ନେତା ଯୋଗ ଦେବାର ଆଶଙ୍କା ରହିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ସବୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।
ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ପାର୍ଟିର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି । ଆଗାମୀ କିଛି ଦିନରେ ଦେଶର ଅନେକ ରାଜନୈତିକ ପାର୍ଟିର ଅଧ୍ୟକ୍ଷକୁ ନିମନ୍ତ୍ରଣ ଦିଆଯାଇଛି । ଟ୍ରଷ୍ଟ ଅନୁଯାୟୀ, ରାଜନୈତିକ ଦଳର ପ୍ରମୁଖଙ୍କୁ ଡକାଯାଇଛି । ଏହା ବ୍ୟତୀତ ସାମ୍ବିଧାନିକ ପଦରେ ଅଧିଷ୍ଠିତ ପ୍ରମୁଖ ବ୍ୟକ୍ତି ଓ କିଛି ଅନ୍ୟ ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯିବ । ଏପରିକି ଶିଖ, ବୌଦ୍ଧ ଓ ଜୈନ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି ।
ଏହା ମଧ୍ୟରେ କଂଗ୍ରେସ ନେତାମାନଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବା ନେଇ ଚର୍ଚ୍ଚା ଜୋର ଧରିପାରେ । କଂଗ୍ରେସ ନେତା ଯଦି ଆୟୋଜନରେ ଯୋଗ ନ ଦିଅନ୍ତି ତେବେ ବିଜେପି ଏହାକୁ ନେଇ ପ୍ରସଙ୍ଗ କରିପାରେ । ପୂର୍ବରୁ ମଧ୍ୟ ବିଜେପି କଂଗ୍ରେସକୁ ହିନ୍ଦୁତ୍ୱ ପ୍ରସଙ୍ଗରେ ଘେରି ଆସିଛି । ଯଦି ଏବେ କଂଗ୍ରେସର ନେତା ଆୟୋଜନକୁ ନ ଆସନ୍ତି ତେବେ ଦଳକୁ ନୂତନ ରଣନୀତି ପ୍ରସ୍ତୁତ କରିବାକୁ ପଡିପାରେ । ତେବେ ଏ ଯାଏ କଂଗ୍ରେସର କୌଣସି ନେତା ଏହା ଉପରେ ପ୍ରତିକ୍ରିୟା ଦେଇ ନାହାନ୍ତି । ରାମ ମନ୍ଦିର ଉଦଘାଟନରେ ସାମିଲ ହେବା ପାଇଁ କଂଗ୍ରେସର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିମନ୍ତ୍ରଣ ମିଳିନାହିଁ ।