ନୂଆଦିଲ୍ଲୀ: ଯଦି ଆପଣଙ୍କୁ ବି ଏକ୍ସ ଚଲାଇବାରେ ସମସ୍ୟା ହେଉଛି ଏବଂ ବହୁ ଚେଷ୍ଟା ପରେ ବି କିଛି ଖୋଲୁନି ତେବେ ଏମିତି ସମସ୍ୟାର ସମ୍ମୁଖୀନ ହେବାରେ ଆପଣ ଏକା ନୁହନ୍ତି । ଲୋକପ୍ରିୟ ମାଇକ୍ରୋ ବ୍ଲୋଗିଂ ସାଇଟ୍ ଏକ୍ସ(ଯାହା ପୂର୍ବେ ଟୁଇଟର ନାମରେ ପରିଚିତ ଥିଲା) ତାହା ପ୍ରାୟ ୧୧ଟାରୁ ଡାଉନ ଚାଲିଛି । ସମଗ୍ର ଦୁନିଆର ୟୁଜର୍ସ ଏହି ପ୍ଲାଟଫର୍ମକୁ ଠିକରେ ଚଲାଇ ପାରୁ ନାହାନ୍ତି । ସେ ଡେସ୍କଟପ୍ ହେଉ କି ମୋବାଇଲ୍ କୌଣସି ଥିରେ ମଧ୍ୟ ଏକ୍ସ ଠିକରେ ଆକ୍ସେସ ହୋଇ ପାରୁ ନାହିଁ । ଖୋଦ ନିଜର ପ୍ଲାଟଫର୍ମରେ ମଧ୍ୟ #TwitterDown ଟ୍ରେଣ୍ଡ ହେଉଛି । ତେବେ ଏହାକୁ କ୍ଲିକ୍ କଲେ କୌଣସି ପୋଷ୍ଟ ସାମ୍ନାକୁ ଆସୁନାହିଁ ।
ହୋମପେଜରେ ସବୁ ଫିଡ୍ ଗାଏବ ରହିଛି । ଏଥିରେ ନା କୌଣସି ପୋଷ୍ଟ ଦେଖିବାକୁ ମିଳୁଛି ନା କୌଣସି ମିଡିଆ ଫାଇଲ୍ । ବାସ୍ ହୋମପେଜରେ କେବଳ Welcome X ଲେଖା ଆସୁଛି । ଏହାର ଠିକ୍ ତଳେ Lets go !ର ବଟନ ଦେଖିବାକୁ ମିଳୁଛି । ଏହା ଉପରେ କ୍ଲିକ୍ କଲେ କିଛି ଟୁଇଟର ହ୍ୟାଣ୍ଡେଲ ସାମ୍ନାକୁ ଆସୁଛି ।

ଡାଉନଡିରେକ୍ଟର ରିପୋର୍ଟ ଅନୁସାରେ ପ୍ଲାଟଫର୍ମ ଠପ୍ ହେବାରୁ ୭୦ ହାରରୁ ଅଧିକ ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏହି ସମସ୍ୟାର କାରଣ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ପ୍ରଥମ ଥର ଏକ୍ସରେ ଏମିତି ସମସ୍ୟା ଆସିନାହିଁ । ଏଲନ ମସ୍କଙ୍କ ସ୍ୱାମିତ୍ୱରେ ଥିବା ଏହି ପ୍ଲାଟଫର୍ମ ଚଳିତ ବର୍ଷ ମାର୍ଚ୍ଚ ଓ ଜୁଲାଇରେ ମଧ୍ୟ ଡାଉନ ହୋଇଥିଲା । ଏହି ସମୟରେ ୟୁଏସ ଓ ୟୁକେରେ ୧୩୦୦୦ରୁ ଅଧିକ ଥର ଡାଉନ ରହିଥିଲା । ଏହିପରି ମାର୍ଚ୍ଚ ୬ରେ ମଧ୍ୟ କିଛି ଘଂଟା ପାଇଁ ଡାଉନ ହୋଇଥିଲା । ହଜାର ସଂଖ୍ୟକ ୟୁଜର୍ସଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।