ସଂସଦ ସୁରକ୍ଷାରେ ତ୍ରୁଟି ପରେ ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତି, ଏବେ ପାର୍ଲିଆମେଂଟକୁ ସିକ୍ୟୁରିଟି ଦେବେ CISF


ନୂଆଦିଲ୍ଲୀ: ସଂସଦରେ ହୋଇଥିବା ବଡ ଧରଣର ତ୍ରୁଟି ପରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ବଡ ନିଷ୍ପତ୍ତି ନେଇଛି । ସଂସଦର ସୁରକ୍ଷା ଦାୟିତ୍ୱ ଏବେ କେନ୍ଦ୍ରୀୟ ପ୍ରଦୌଗିକି ବଳ(ସିଆଇଏସଏଫ)କୁ ଦିଆଯାଇଛି । ଏ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସର ଯବାନ ସଂସଦର ସୁରକ୍ଷା ଦାୟିତ୍ୱ ସମ୍ଭାଳି ଆସୁଥିଲେ । ଗୃହ ମନ୍ତ୍ରଣାଳୟର ନିଷ୍ପତି ଅନୁଯାୟୀ, ସଂସଦ ଭବନ ପରିସରର ବ୍ୟାପକ ସୁରକ୍ଷାର ଦାୟିତ୍ୱ ଏବେ ସିଆଇଏସଫ ସମ୍ଭାଳିବେ । ଅପରପକ୍ଷେ ସଂସଦରେ ଦୁର୍ବୃତଙ୍କ ଅନୁପ୍ରବେଶ ଓ ସୁରକ୍ଷାରେ ତ୍ରୁଟିକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛନ୍ତି ।

ସିଆଇଏସଏଫ କେନ୍ଦ୍ରୀୟ ସଶସ୍ତ୍ର ବଳ(ସିଏପିଏଫ)ର ଏକ ଅଂଶ । ଯାହା ନ୍ୟୁକ୍ଲିୟର ଓ ଏୟାରୋସ୍ପେସ ଡୋମେନ ଅନ୍ତର୍ଗତରେ ଆସୁଥିବା ପ୍ରତିଷ୍ଠାନ, ବେସାମରିକ ବିମାନ ଓ ଦିଲ୍ଳୀ ମେଟ୍ରୋର ସୁରକ୍ଷା ଦାୟିତ୍ୱ ସମ୍ଭାଳିଥାନ୍ତି । ଏହା ବ୍ୟତୀତ ଦିଲ୍ଲୀରେ ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟର ଭବନର ସୁରକ୍ଷା ଦାୟିତ୍ୱ ମଧ୍ୟ ସିଆଇଏସଏଫ ପାଖରେ ରହିିଛି । ଏହି ପରି ସରକାରଙ୍କ ନିଷ୍ପତି ପରେ ସିଆଇଏସଏଫ ନିକଟରେ ଦେଶର ସବୁଠୁ ସୁରକ୍ଷିତ କୁହାଯାଉଥିବା ସଂସଦ ଭବନର ସୁରକ୍ଷା ଦାୟିତ୍ୱ ଆସି ଯାଇଛି ।

ଏହା ସହିତ ଗୃହ ମନ୍ତ୍ରଣାଳୟ ସିଆଇଏସଏଫକୁ ସଂସଦ ଭବନ ପରିସରର ଥରୁଟିଏ ସର୍ଭେ କରିବାକକୁ ନିର୍ଦ୍ଦେଶ ଦେଇଛି । ଏହା ଦ୍ୱାରା ସିଆଇଏସଏଫର ସିକ୍ୟୁରିଟି ଏବଂ ଦମକଳ ଶାଖାର ନିୟମିତ ମୁତୟନ କେଉଁଭଳି ଏବଂ କେଉଁଠି କରାଯିବ ତାହା ଜଣା ପଡିବ । ଏଥିରେ ବର୍ତମାନ ସଂସଦ ସୁରକ୍ଷା ଦଳର ଅଧିକାରୀ ସିଆଇଏସଏଫକୁ ସାହାଯ୍ୟ କରିବେ ।