ନୂଆଦିଲ୍ଲୀ: ଗତ ବୁଧବାର ଲୋକସଭାରେ ଟେଲିକମ ବିଲ୍ ୨୦୨୩ ଗୃହୀତ ହେବା ପରେ ଗୁରୁବାର ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି । ଏବେ ସିମ୍ କାର୍ଡ ବିକୁଥିବା ଏବଂ କିଣୁଥିବା ଲୋକଙ୍କ ପାଇଁ ନୂଆ ନିୟମ ଲାଗୁ ହେବ । ଏହି ବିଧେୟକ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଯଦି କୌଣସି ବ୍ୟକ୍ତି ଆଇନର ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ଜେଲ୍ ଦଣ୍ଡ ସହ ଲକ୍ଷାଧିକ ଟଙ୍କାର ଜରିମାନା ଭୋଗିବାକୁ ପଡିବ ।
ନୂତନ ବିଲ୍ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ମୋବାଇଲ୍, ସିମକାର୍ଡର ଦୁରୁପଯୋଗ କରି ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରନ୍ତି ତେବେ ତାଙ୍କ ବିରୋଧରେ ୩ ବର୍ଷର ଜେଲ୍ ଦଣ୍ଡ କିମ୍ବା ୨ କୋଟି ଜରିମାନା ଭରିବାକୁ ପଡିବ । ଏପରିକି ଦୋଷୀଙ୍କୁ ଉଭୟ ଦଣ୍ଡ ଭୋଗିବାକୁ ପଡିପାରେ । ଯଦି ଟେଲିକମ ଅପରେଟଙ୍କ କୌଣସି କ୍ଷତି ଘଟେ ତେବେ ୫୦ ଲକ୍ଷ ଜରିିମାନା ଭରିବାକୁ ପଡିପାରେ ।
ଯଦି କୌଣସି ବ୍ୟକ୍ତି ନକଲି ପରିଚୟ ପତ୍ର ଦେଖାଇ ସିମକାର୍ଡ ନେବ ତେବେ ଧରା ପଡିଲେ ୩ ବର୍ଷ ଜେଲ୍ ଦଣ୍ଡ ଓ ୫୦ ହଜାର ଟଙ୍କାର ଜରିମାନା ଭରିବାକୁ ପଡିପାରେ । କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିପାରେ । ସିମ କାର୍ଡ ବିକ୍ରି କରୁଥିବା ଦୋକାନୀଙ୍କ କାଗଜପତ୍ର ମଧ୍ୟ ଯାଂଚ କରାଯିବ । ଏହା ବିନା ସେ କୌଣସି ସିମ୍ ବି ବିକ୍ରି କରି ପାରିବେ ନାହିଁ । ଏହା ସହିତ ଗ୍ରାହକଙ୍କ ବାୟୋମେଟ୍ରିକ ଭେରିଫିକେସନ ବାଧ୍ୟତାମୂଳକ ରହିଛି ।
କୌଣସି ବ୍ୟକ୍ତି କୌଣସି ସିମକୁ ଭୁଲ ପ୍ରକ୍ରିୟାରେ କ୍ଲୋନ କରନ୍ତି କିମ୍ବା ଚେଷ୍ଟା କରନ୍ତି ତେବେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ । ନୂତନ ବିଲ୍ ଆଧାରରେ ଆପଣଙ୍କୁ ଯଦି ପ୍ରମୋସନାଲ ମେସେଜ ପଠାଇବାକୁ ହୁଏ ତେବ କମ୍ପାନିଙ୍କୁ ଆପଣଙ୍କ ଅନୁମତି ନେବାକୁ ପଡିବ । ଯଦି ବିନା ଅନୁମତିରେ ଆପଣଙ୍କୁ କଲ୍ କରାଯାଏ ତେବେ ୨ ଲକ୍ଷ ଟଙ୍କାର ଜରିମାନା ପ୍ରାବଧାନ ରହିଛି ।