ଭୁବନେଶ୍ବର: ରାଜ୍ୟରେ ଶୀତ ଲହରି ଜାରି ରହିଛି। ତେବେ ଗତ ୨୪ ଘଂଟାରେ ଥଣ୍ଡା ଟିକେ କମିଛି । ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ ବୃଦ୍ଧି ପାଇଛି। କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ରହିଛି । ଏଠାରେ ପାରଦ ୬.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆଂଚଳିକ ପାଣିପାଗ ବିଭାଗ ଅନୁଯାୟୀ, କୋରାପୁଟ ପରେ କନ୍ଧମାଳର ଜି. ଉଦୟଗିରି ଦ୍ୱିତୀୟରେ ରହିଛି । ଗତ କିଛି ଦିନ ହେବ ରାଜ୍ୟର କ୍ରମାଗତ ସବୁଠୁ ଥଣ୍ଡା ସ୍ଥାନ ରହୁଥିବା ଜି ଉଦୟଗିରିରେ ପାରଦ ସର୍ବନିମ୍ନ ୭ ଡିଗ୍ରୀ ରହିଛି । ସେହିପରି କେନ୍ଦୁଝରରେ ୮.୮ ଡ଼ିଗ୍ରି, ସୁନ୍ଦରଗଡ଼ରେ ୯ ଡ଼ିଗ୍ରି, କିରେଇରେ ୯.୪ ଡ଼ିଗ୍ରି, ଫୁଲବାଣୀରେ ୯.୫ ଡ଼ିଗ୍ରି ଓ ସେମିଳିଗୁଡ଼ାରେ ୯.୬ ଡ଼ିଗ୍ରି ରେକର୍ଡ କରାଯାଇଛି। ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ଟିକେ ବୃଦ୍ଧି ପାଇଛି । କିଛି ଦିନ ହେବ ଦୁଇ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ତେବେ କଟକରେ ସର୍ବନିମ୍ନ ତାପମାତ୍ରା ଗତକାଲି ୧୫.୧ ଓ ଭୁବନେଶ୍ବରରେ ୧୬ ଡିଗ୍ରି ଥିବା ଜଣାଯାଇଛି।
ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଶୁଷ୍କ ଥଣ୍ଡା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି। ଉଷ୍ମ-ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ ଅନେକ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ୟ୍ୟନ୍ତ ବୃଦ୍ଧି ହୋଇପାରେ। ପ୍ରଭାବରେ ସାରା ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।