ଆଜିଠୁ ରାଜ୍ୟ ସାରା ବୁଲିବ ଜଗନ୍ନାଥ ରଥ, ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ଦେଖି ପାରିବେ ଜନତା


ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ। ଏଥିପାଇଁ ପ୍ରସ୍ତୁତି ପାଖାପାଖି ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ସାରିଛି । ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜି ଠାରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବ।

ଶ୍ରୀଜଗନ୍ନାଥ ରଥ ରାଜ୍ୟର ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଘରୁ ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରିବ। ଆଜି ପୁରୀ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଲଜଂଘ ଓ ମାଳତୀପାଟପୁର,୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀ ହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ଏହି ରଥ ପରିକ୍ରମା କରିବ। ପିଇଓ ଓ ଜିଆରଏସ୍ ମାନେ ପଞ୍ଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ଵ ନିର୍ବାହ କରିବେ ବୋଲି ଜଣା ଯାଇଛି ।

ଏହି ରଥ ଜରିଆରେ ରାଜ୍ୟବାସୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନର ଭବ୍ୟ ସମାରୋହ ଦେଖି ପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି । ଅଧିକରୁ ଅଧିକ ଲୋକେ କେମିତି ଏଥିରେ ଯୋଡି ହେବେ ସେ ଦିଗରେ ରାଜ୍ୟ ସରକାର ବେଶ ଯତ୍ନବାନ ଅଛନ୍ତି । ଗତକାଲି ମୁଖ୍ୟ ସଚିବ ପ୍ରଦୀପ ଜେନା ପୁରୀ ଯାଇ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପରିକ୍ରମା ପ୍ରକଳ୍ପର ଉଦଘାଟନ ପୂର୍ବରୁ କେମିତି କାମ ଶୀଘ୍ର ସରିବ ସେ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି । ଉଲ୍ଲେଖନୀୟ ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ଏବଂ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ତା ପୂର୍ବରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାକୁ ଯାଉଛି ।