Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାଜ୍ୟ ସରକାର ପୂରଣ କଲେ ଦାବି, ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ଵର: ଦାବି ପୂରଣ କଲେ ରାଜ୍ୟ ସରକାର। ଫଳରେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଡ୍ରାଇଭର ମହାସଂଘ।  ଫଳରେ ରବିବାରଠୁ ରାଜ୍ୟରେ ଚଳାଚଳ ସ୍ଵାଭାବିକ ହେବ। ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବାକୁ ଆହ୍ଵାନ କଲେ ରାଜ୍ୟ ଡ୍ରାଇଭର ମହାସସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି। ଏ ନେଇ ଶନିବାର ସନ୍ଧ୍ୟାରେ ସେ ଏକ ଭିଡିଓ  ଜାରି କରି ଆନ୍ଦୋଳନରୁ ଓହରିବାକୁ ଆହ୍ଵାନ ଦେଇଛନ୍ତି।  ଅନ୍ୟପଟେ ଆନ୍ଦୋଳନ ସ୍ଥଗିତ ହୋଇଥିବା ସୂଚନା ଦେଇଛନ୍ତି ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା।

ମେଣ୍ଡୁଲି କହିଛନ୍ତି, ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ। ଅନ୍ୟ ୨୮ ରାଜ୍ୟ ଆନ୍ଦୋଳନରେ ସାମିଲ୍ ନ ଥିବାରୁ ଆନ୍ଦୋଳନରୁ ଓହରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା। ସମସ୍ତ ୨୮ ରାଜ୍ୟ ବାହାରିଲେ ଆମେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବୁ। କିନ୍ତୁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପାଖରେ ଥିବା ଆମର ଦାବି ପାଖାପାଖି ପୂରଣ ହୋଇଥିବା ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। ଏହି ଆନ୍ଦୋଳନରେ ଯଦି କୌଣସି ଡ୍ରାଇଭର ଭାଇଙ୍କୁ ମାଲିକ କାମରୁ ବାହାର କରିଛନ୍ତି, ସେ ଆମ ସହ ଯୋଗାଯୋଗ କରନ୍ତୁ। ସେ ମାଲିକ ଯେମିତି ତାଙ୍କୁ କାମରେ ରଖିବେ ଆମେ ଚାପ ପକାଇବୁ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଆଇନକୁ ବିରୋଧ ଓ  ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ଟ୍ରକ୍ ଡ୍ରାଇଭରଙ୍କ ସହ ଶନିବାର ଠାରୁ ଆନ୍ଦୋଳନରେ ସାମିଲ ହୋଇଥିଲେ ବସ୍ ଡ୍ରାଇଭର । ଯାହା ଫଳରେ ସାରା ରାଜ୍ୟରେ ବସ୍ ଚଳାଚଳ ଏବଂ ପରିବହନ ଠପ୍ ହୋଇ ପଡିଥିଲା। ଏପରିକି ପେଟ୍ରୋଲ ଟାଙ୍କିରେ ତେଲ ନ ପହଞ୍ଚି ପାରିବାରୁ ତେଲ ଅଭାବ ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା।