ଭୁବନେଶ୍ୱର: ରାଜ୍ୟ ସରକାର ପାଖାପାଖି ସମସ୍ତ ଦାବି ମାନି ନେବା ପରେ ଗତକାଲି ରାଜ୍ୟ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନରୁ ଓହରିଛନ୍ତି । ଆଉ ଆଜି ପରିବହନ ସେବା ସ୍ୱାଭାବିକ ସ୍ଥିତିକୁ ଫେରିଛି । ଯାହା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି କରିଛି । କିନ୍ତୁ ଆସନ୍ତାକାଲିଠୁ ଧର୍ମଘଟକୁ ଓହ୍ଲାଇବାକୁ ରାଜ୍ୟ ପରିବହନ ଶ୍ରମିକ ସଂଘ ଘୋଷଣା କରିଛି । ଡ୍ରାଇଭରଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ରବିବାର ପ୍ରେସମିଟରେ ପରିବହନ ଶ୍ରମିକ ମହାସଂଘ ସୂଚନା ଦେଇଛି ।
ଆସନ୍ତାକାଲି ତେଲ ଡିପୋରୁ ପେଟ୍ରୋଲ, ଡିଜେଲ୍ ଲୋଡିଂ ବନ୍ଦ ରଖିବ ସଂଘ । ଫଳରେ ସୋମବାରଠୁ ତେଲ ଯୋଗାଣ ସହ ଅନ୍ୟ ପରିବହନ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏମିତି ହେଲେ ଟାଙ୍କିରେ ତେଲ ସରିବା ସହ ସବୁ ପ୍ରକାରର ବାହାନ ଠପ୍ ହୋଇଯିବ । ଏହି ଖବର ପରେ ଆଜି ତେଲ ଟାଙ୍କିରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିପାରେ । କାରଣ ଡ୍ରାଇଭର ମହାସଂଘ ଆନ୍ଦୋଳନ କାରଣରୁ ସବୁ ପ୍ରକାରର ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା । ପ୍ରଭାବରେ ଟାଙ୍କିକୁ ତେଲ ପହଂଚି ପାରି ନ ଥିଲା । ଆଉ ତେଲ ନ ମିଳିବା ଆଶଙ୍କାରେ କାଲି ଲୋକେ ଟାଙ୍କି ଫୁଲ୍ କରୁଥିବା ଦେଖିବାକୁ ମିଳିଥିଲା । ଆବଶ୍ୟକତା ଢେର ଅଧିକ ତେଲ ପକାଇବାରୁ କଟକର ଅନେକ ଟାଙ୍କିରେ ତେଲ ଅଭାବ ଦେଖିବାକୁ ମିଳିଥିଲା । ଯଦି ପରିବହନ ଶ୍ରମିକ ମହାସଂଘର ଧର୍ମଘଟ ଅଧିକ ସମୟ ଚାଲେ ତେବେ ସ୍ଥିତି ସଙ୍ଗୀନ ହେବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ଆଇନକୁ ବିରୋଧ ଓ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ଟ୍ରକ୍ ଡ୍ରାଇଭରଙ୍କ ସହ ଶନିବାର ଠାରୁ ଆନ୍ଦୋଳନରେ ସାମିଲ ହୋଇଥିଲେ ବସ୍ ଡ୍ରାଇଭର । ଯାହା ଫଳରେ ସାରା ରାଜ୍ୟରେ ବସ୍ ଚଳାଚଳ ଏବଂ ପରିବହନ ଠପ୍ ହୋଇ ପଡିଥିଲା। ଏପରିକି ପେଟ୍ରୋଲ ଟାଙ୍କିରେ ତେଲ ନ ପହଞ୍ଚି ପାରିବାରୁ ତେଲ ଅଭାବ ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା।