ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ମହାକାଶରେ ଆଉ ଏକ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ) । ଗତକାଲି ସୌର ମିଶନର ଅନ୍ତରୀକ୍ଷ ଯାନ ଆଦିତ୍ୟ ଏଲ-୧ର ସଫଳତାପୂର୍ବକ ଲକ୍ଷ୍ୟସ୍ଥଳ ଲାଙ୍ଗରେଜ ପଏଂଟ ୧ରେ ଅବସ୍ଥାପିତ କରାଯାଇଛି । ଏହା ପରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, ଏବେ ଆଦିତ୍ୟ ଏଲ-୧ର ରକ୍ଷଣାବେକ୍ଷଣ ଓ କକ୍ଷ ପରିବର୍ତନ ଉପରେ ଧ୍ୟାନ ଦିଆଯିବ । ସୂର୍ଯ୍ୟ ମିଶନ ସବୁ କିଛି ଯୋଜନା ଅନୁରୂପ ହୋଇଛି ।
ସୌର ମିଶନର ସଫଳତା ପରେ ଏବେ ସମସ୍ତ ଧ୍ୟାନ ଭାରତର ମାନବ ଅନ୍ତରୀକ୍ଷ ମିଶନ ଗଗନଯାନ ଉପରେ ରହିଛି । ସୋମନାଥ କହିଛନ୍ତି ଆମର ଖାଲି ସମୟରେ ଆମେ ଏନଆଇଏସଏଆର(ନ।।ସା-ଇସ୍ରୋ ସିନ୍ଥେଟିକ ଅପର୍ଚର ରାଡାର ମିଶନ) ଓ ଅନ୍ୟ ପ୍ରକଳ୍ପ ଉପରେ କାମ କରିବୁ । ସେ କହିଛନ୍ତି ଆମେ ସୌର ମିଶନରେ ଯେଉଁ ସଫଳତା ହାସଲ କରିଛୁ ତାହା ଆମର ଯୋଜନା ଅନୁରୂପ ହୋଇଛି । ଏବେ ଆମେ ଏହା ଉପରେ ଧ୍ୟାନ ଦେବୁ ଯେ, ଲାଙ୍ଗରେଜ ପଏଂଟରେ ଅବସ୍ଥାପିତ ହେବାର କିଛି ଘଂଟା ପରେ ଏହା ସଠିକ୍ ଜାଗାରେ ଅଛି କି ନାହିଁ ।
ଉଲ୍ଲେଖନୀୟ ଗତକାଲି ଅପରାହ୍ଣ ୪ଟାରେ ଆଦିତ୍ୟ ଏଲ-୧କୁ ନିଜର ଲକ୍ଷ୍ୟସ୍ଥଳ ଲାଙ୍ଗରେଜ ପଏଂଟ-୧ରେ ସଫଳତାପୂର୍ବକ ଅବସ୍ଥାପିତ କରାଯାଇଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଧନ୍ୟବାଦ ଜଣାଇ ଏହା ଏକ ନବୀନତମ ଉପଲବ୍ଧି ବୋଲି କହିଛନ୍ତି । ଚନ୍ଦ୍ରଯାନ-୩ର ସଫଳତାର କିଛି ମାସ ପରେ ଭାରତକୁ ମହାକାଶରେ ଆଉ ଏକ ଐତିହାସିକ କିର୍ତୀମାନ ହାସଲ ହୋଇଛି ।