Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୁଣି ଥରେ ଜେଲ୍ ଯିବେ ବିଲକିସ୍ ବାନୋଙ୍କ ୧୧ ଦୋଷୀ, ଗୁଜରାଟ ସରକାରଙ୍କ ମୁକ୍ତ ଆଦେଶ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କ ହତ୍ୟା ଘଟଣାରେ ଦୋଷୀ ୧୧ ଜଣ ପୁଣି ଥରେ ଜେଲ୍ ଯିବେ । ସୁପ୍ରିମକୋର୍ଟ ସୋମବାର ବିଲକିସ୍ ବାନୋଙ୍କ ଯାଚିକା ଉପରେ ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି, ଏହି ଦୋଷୀମାନଙ୍କ ଦଣ୍ଡଙ୍କୁ କ୍ଷମା କରିବାର ଅଧିକାର ଗୁଜରାଟ ସରକାରଙ୍କ ପାଖରେ ନାହିଁ । ତଥାପି ରାଜ୍ୟ ସରକାର ଏଭଳି ନିଷ୍ପତି ନେଲେ । ତେଣୁ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କ ଏହି ଆଦେଶକୁ ରଦ୍ଦ କରିବା ସହ ୧୧ ଦୋଷୀଙ୍କୁ ଦୁଇ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ବିଲକିସ୍ ବାନୋଙ୍କ ଯାଚିକା ଶୁଣାଣି ଯୋଗ୍ୟ ଥିଲା । ଏହି ଘଟଣାର ଦୋଷୀମାନଙ୍କ ବିରୋଧରେ ଯେଉଁ ରାଜ୍ୟରେ କେସ୍ ଚାଲିଥିଲା ସେହି ସରକାର ହିଁ ସଜା କ୍ଷମା କରି ପାରିଥାନ୍ତେ । ମାତ୍ର ଗୁଜରାଟ ସରକାର ଏହି ନିଷ୍ପତି ନେବା ସଂପୂ୍‌ର୍ଣ୍ଣ ଭୁଲ୍ ଥିଲା । ରାଜ୍ୟ ସରକାରଙ୍କ ପାଖରେ ଦୋଷୀମାନଙ୍କୁ କ୍ଷମା କରିବାର କୌଣସି ଅଧିକାର ନାହିଁ । ଉଲ୍ଲେଖନୀୟ ଗୁଜରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା । ଘଟଣାରେ ତାଙ୍କ ପରିବାରର ଅନେକ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏହି ଲୋମହର୍ଷଣକାରୀ ଘଟଣାରେ ୧୧ ଦୋଷୀଙ୍କ ବିରୋଧରେ ମହାରାଷ୍ଟ୍ରରେ କେସ୍ ଚାଲିଥିଲା । ସୁପ୍ରିମକୋର୍ଟଙ୍କ କହିବା କଥା ଏହା ଉପରେ ନିଷ୍ପତି ମହାରାଷ୍ଟ୍ର ସରକାରଙ୍କୁ ହିଁ ନେବାର ଥିଲା । ଜଷ୍ଟିସ ବିଭି ନାଗରତ୍ନା ଓ ଉଜ୍ୱଳ ଭୁୟାନଙ୍କ ପୀଠ ଏହି ରାୟ ଦେଇଛନ୍ତି ।

ଅଦାଲତ ଶୁଣାଣି ସମୟରେ କହିଛନ୍ତି, ୨୦୨୨ ମେରେ ସୁପ୍ରିମକୋର୍ଟ ନିଷ୍ପତି ନେଇଥିଲେ ଯେ, ସରକାର ଦୋଷୀମାନଙ୍କ ଦୋଣ୍ଡ କୋହଳ ନିୟମାନୁସାରେ ବିଚାର କରି ପାରିବେ । ମାତ୍ର ଗୁଜରାଟ ସରକାର ଭୁଲ୍ ଦସ୍ତାବିଜ ଜରିଆରେ ଦୋଷୀଙ୍କୁ ମୁକ୍ତ କରିଥିଲେ । ୨୦୨୨ ମେରେ କୋର୍ଟଙ୍କ ନିଷ୍ପତି ପରେ ଗୁଜରାଟ ସରକାର ଦୋଷୀଙ୍କୁ ମୁକ୍ତ ଆଦେଶ ଦେଇଥିଲେ । ଦୋଷୀଙ୍କ ମୁକ୍ତ ପରେ କେବଳ ଗୁଜରାଟ ନୁହେଁ ବରଂ ପୁରା ଦେଶରେ ପ୍ରଶ୍ନ ଉଠିଥିଲା । କେବଳ ଏତିକି ନୁହେଁ ଦୋଷୀମାନଙ୍କୁ ଅନେକ ମଂଚରେ ବି ଦେଖିବାକୁ ମିଳିଥିଲା । ସେମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହା ପରେ ବିଲକିସ୍ ବାନୋ ନ୍ୟାୟ ଭିକ୍ଷା କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।