ରାଜ୍ୟରେ ୨ ଦିନ ପାଇଁ ତେଲ ଅଛି, ଆବଶ୍ୟକତାଠୁ ଅଧିକ ତେଲ ପକାନ୍ତୁ ନାହିଁ: ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ


ଭୁୁବନେଶ୍ୱର: ଡ୍ରାଇଭରଙ୍କ ପାଇଁ କଡା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଛି ଓଡିଶା ପରିବହନ ଶ୍ରମିକ ମହାସଂଘ । ଫଳରେ ଆଜିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ୍ ଯୋଗାଣ ବନ୍ଦ ହୋଇପାରେ । ଏହାକୁ ନେଇ ଚିନ୍ତା ବଢିଛି । ଯୋଗାଣ ପ୍ରଭାବିତ ହେଲେ ସବୁ ଟାଙ୍କୁ ତେଲ ସରି ଯିବାର ଆଶଙ୍କା ରହିଛି । ତେଣୁ ଟାଙ୍କିମାନଙ୍କରେ ଲୋକଙ୍କ ଭିଡ ସହ ଆବଶ୍ୟକତାଠୁ ଅଧିକ ତେଲ ପକାଉଥିବା ଦେଖିବାକୁ ମିଳିଛି । ତେବେ ଆଉ ୨ ଦିନ ପାଇଁ ତେଲ ଗଚ୍ଛିତ ଥିବା କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ।

ସୋମବାର ସେ କହିଛନ୍ତି ରାଜ୍ୟରେ ୨ ଦିନ ପାଇଁ ତେଲର ଅଭାବ ରହିବନି । ଗତକାଲି ରବିବାର ସତ୍ୱେ ବିଭିନ୍ନ ସ୍ଥାନକୁ ତେଲ ଯାଇଛି । ତେଣୁ ୨ ଦିନର ତେଲ ଗଚ୍ଛିତ ରହିଛି, ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ ଜନତାଙ୍କୁ ଅପିଲ୍ କରିଛନ୍ତି । ଆବଶ୍ୟକତାଠାରୁ ଅଧିକ ତେଲ କିଣନ୍ତୁ ନାହିଁ । ଆଶା ସରକାରଙ୍କ ସହ ଆଲୋଚନା ପରେ ଆଜି ଶୁଭ ଫଳ ମିଳିବ । ତଥାପି ଲୋକେ ତେଲ ସରିବା ଆଶଙ୍କାରେ ଟାଙ୍କିରେ ଲମ୍ବା ଲାଇନ ଲଗାଇ ଟାଙ୍କି ଫୁଲ୍ କରୁଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଡ୍ରାଇଭରଙ୍କ ପାଇଁ ଲାଗୁ କରିଥିବା ନୂତନ ନିୟମକୁ ବିରୋଧ କରି ଓ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣ ବିଫଳତାକୁ ଦାୟୀ କରି ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଥିଲେ ରାଜ୍ୟ ଡ୍ରାଇଭର ମହାସଂଘ । ଟ୍ରକ ଡ୍ରାଇଭରଙ୍କ ସହ ଶନିବାର ଆନ୍ଦୋଳନରେ ସାମିଲ୍ ହୋଇଥିଲେ ଘରୋଇ ବସ୍ ଡ୍ରାଇଭର । ଯାହା ଫଳରେ ସାରା ରାଜ୍ୟରେ ପରିବହନ ସେବା ଠପ୍ ହୋଇ ଯାଇଥିଲ । ପରବର୍ତୀ ସମୟରେ ସରକାରଙ୍କ ଆଲୋଚନା ପରେ ଏବଂ ପାଖାପାଖି ସବୁ ଦାବି ପୂରଣ ହେବାର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି ସଂଘ ।