ଭୁୁବନେଶ୍ୱର: ଡ୍ରାଇଭରଙ୍କ ପାଇଁ କଡା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଥିବା ଓଡିଶା ପରିବହନ ଶ୍ରମିକ ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛି । ପ୍ରତ୍ୟାହାର ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି ସୋମବାର ସୂଚନା ଦେଇଛନ୍ତି । ଫଳରେ ତେଲ ସରିଯିବା ଆଶଙ୍କାରେ ଥିବା ସାଧାରଣ ଜନତାଙ୍କୁ ଏହି ଖବର ବଡ ଆଶ୍ୱସ୍ତି ପ୍ରଦାନ କରିଛି । କାରଣ ଶ୍ରମିକ ସଂଘର ଆନ୍ଦୋଳନ ଯୋଗୁଁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ୍ ଯୋଗାଣ ବନ୍ଦ ହେବାର ସମ୍ଭାବନା ଥିଲା ।
ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, ମୁଖ୍ୟ ସଚିବ, ପରିବହନ ସଚିବଙ୍କ ସହ ଆଲୋଚନ ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତି ନିଆଯାଇଛି । ଏ ନେଇ ସେ ଏକ ଭିଡିଓ ଜାରି କରିଛନ୍ତି । ହିଟ୍ ଆଣ୍ଡ ରନ୍ ଆଇନ ସଂପର୍କରେ ମୁଖ୍ୟ ସଚିବ ଆଲୋଚନା କରିଛନ୍ତି । କେନ୍ଦ୍ର ଗୃହ ସଚିବଙ୍କ ସହ ମୁଖ୍ୟ ସଚିବ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏ ଆଇନ ଏବେ କାର୍ଯ୍ୟକାରୀ ହେବନି ବୋଲି ଗୃହ ସଚିବ କହିଛନ୍ତି । ଆଇନ ଏବେ କାର୍ଯ୍ୟକାରୀ ନ ହେବା ଜାଣିବା ପରେ ଆମେ ଆନ୍ଦୋଳନରୁ ହଟିଛୁ ବୋଲି ସେ କହିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର ହେବାରୁ ପୁଣି ଥରେ ଡିପୋରୁ ତେଲ ଟାଙ୍କିମାନଙ୍କୁ ତେଲ ଯୋଗାଣ ସ୍ୱାଭାବିକ ହେବାକୁ ଯାଉଛି ।
ଡ୍ରାଇଭରଙ୍କ ପାଇଁ କଡା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଥିଲେ ଓଡିଶା ପରିବହନ ଶ୍ରମିକ ମହାସଂଘ । ଫଳରେ ଆଜିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ୍ ଯୋଗାଣ ବନ୍ଦ ହେବାର ସମ୍ଭାବନା ଥିଲା । ଏହାକୁ ନେଇ ଚିନ୍ତା ମଧ୍ୟ ବଢି ଯାଇଥିଲା । ଯୋଗାଣ ପ୍ରଭାବିତ ହେଲେ ସବୁ ଟାଙ୍କୁ ତେଲ ସରି ଯିବାର ଆଶଙ୍କା ରହିଥିଲା । ତେଣୁ ଟାଙ୍କିମାନଙ୍କରେ ଲୋକଙ୍କ ଭିଡ ସହ ଆବଶ୍ୟକତାଠୁ ଅଧିକ ତେଲ ପକାଉଥିବା ଦେଖିବାକୁ ମିଳିଥିଲା । ତେବେ ଆଉ ୨ ଦିନ ପାଇଁ ତେଲ ଗଚ୍ଛିତ ଥିବା ସୋମବାର କହିଥିଲେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ।