୧୭ରୁ ରାଜ୍ୟର ଏହି ଜିଲ୍ଲାରେ ସ୍ଥାନରେ ବର୍ଷା, କମିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦୁଇ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ପାଗ ମେଘୁଆ ରହିବା ସହ କୋହଲା ରହିବ । ଏହା ଧାନ ଅମଳକୁ ପ୍ରଭାବିତ କରିପାରେ । ତେବେ ଶୀଘ୍ର ଚାଷ କାମ ସାରି ଦେବାକୁ ପାଣିପାଗ ବିଭାଗ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପାଣିପାଗ ବିଭାଗ ଅନୁଯାୟୀ, ୧୭ ତାରିଖରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ ଓ ମୟୂରଭଞ୍ଜରେ କିଛି ସ୍ଥାନରେ ବର୍ଷା ହୋଇପାରେ । ସେହିପରି ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକର କିଛି ସ୍ଥାନରେ ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞଙ୍କ ମତରେ ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଦୁଇ ଦିନ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାରି ପ୍ରଭାବରେ ଉପକୂଳରେ ଶୀତ ସାମାନ୍ୟ କମିପାରେ ଏବଂ ରାତିର ତାପମାତ୍ରା ବଢିବ ।
ଗତ ରାତିରେ ରାଜ୍ୟର ୫ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି । ୭.୭ ଡିଗ୍ରୀ ତାପମାତ୍ରା ସହ କିରେଇ ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ରହିଥିଲା । ସେହିପରି ସୁନ୍ଦରଗଡରେ ୮.୫, ଜି ଉଦୟଗିରିରେ ୮.୬, ରାଉରକେଲାରେ ୮.୯, କୋରାପୁଟରେ ୯ ପାରଦ ରେକର୍ଡ ହୋଇଛି । ତେବେ ବର୍ଷା ଯୋଗୁଁ ଆସନ୍ତା କିଛି ଦିନରେ ଶୀତର ପ୍ରକୋପ କମିପାରେ ।