ପ୍ରତି ଜିଲ୍ଲାରୁ ପୁରୀକୁ ଗଡିବ ଏସି ବସ୍‌, ଲକ୍ଷ୍ମୀ ଯୋଜନାରେ ଚାଲିବ ‘ଜଗନ୍ନାଥ ଏକ୍ସପ୍ରେସ’


ପୁରୀ: ରାଜ୍ୟରେ ଲକ୍ଷ୍ମୀ ଯୋଜନା ଆହୁରି ବ୍ୟାପକ ହେବାରେ ଲାଗିଛି । ଗାଁରୁ ପ୍ରତି ବ୍ଲକ ଏବଂ ଜିଲ୍ଲା ସଦରମହକୁମା ଯାଏ ଲୋକଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳାଇଛନ୍ତି ଲକ୍ଷ୍ମୀ ଯୋଜନା । ଏହି କ୍ରମରେ ପ୍ରତି ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଚାଲିବ ଏସି ବସ୍ । ଲକ୍ଷ୍ମୀ ଯୋଜନାର ତୃତୀୟ ସୋପାନରେ ଗଡିବ ‘ଜଗନ୍ନାଥ ଏକ୍ସପ୍ରେସ’ । ଏସି ଡିଲକ୍ସ ବସରେ ଜିଲ୍ଲା ମୁଖ୍ୟାଳୟକୁ ଲୋକେ ଆସି ପାରିବେ । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଆରମ୍ଭ ହେବ ଏହି ବ୍ୟବସ୍ଥା । ପ୍ରତିବସ୍ ଭୁବନେଶ୍ୱର ଦେଇ ଯିବ କହିଲେ ଓଏସଆରଟିସି ଅତିରିକ୍ତ ସଚିବ ।

ପରେ ରାଜ୍ୟର ୩୦ ଜିଲ୍ଲାରୁ ପୁରୀକୁ ଚାଲିବ ଏସି ବସ୍ । ଲୋକେ କେମିତି ସହଜରେ ପୁôରୀ ଆସି ପାରିବେ ଏବଂ ଜଗନ୍ନାଥଙ୍କ ଦର୍ଶନ କରି ପାରିବେ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏମିତି ନିଷ୍ପତି ନେଇଛି । ସରକାରଙ୍କ ଏହି ନିଷ୍ପତି ଠିକ୍ ସେହି ସମୟରେ ନେଇଛନ୍ତି ଯେତେବେଳେ ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଜାନୁଆରୀ ୧୭ ତାରିଖ ଅର୍ଥାତ ଆଉ ଗୋଟିଏ ଦିନ ପରେ ହେବାକୁ ଯାଉଛି । ବର୍ତମାନ ପୁରୀ ବଡଦାଣ୍ଡ ମନ୍ତ୍ରୋପଚାର ଓ ଘଂଟବାଦ୍ୟରେ ଉଛୁଳି ପଡୁଛି ।

ସୂଚନାଯୋଗ୍ୟ, ଲକ୍ଷ୍ମୀ ଯୋଜନାରେ ପ୍ରତି ଗାଁରୁ ବସ୍ ବ୍ଲକ ଓ ସଦର ମହକୁମାକୁ ଗଡିବା ନେଇ ବିବାଦ ଦେଖା ଦେଇଥିଲା । ଏହାକୁ ଘୋର ବିରୋଧ କରିଥିଲା ଘରୋଇ ବସ୍ ମାଲିକ ସଂଘ । ସରକାରଙ୍କ ଏମିତି ପଦକ୍ଷେପରେ ସେମାନେ ପ୍ରଭାବିତ ହେବେ । ଏପରିକି ଲକ୍ଷ୍ମୀ ଯୋଜନାରେ ଘରୋଇ ବସକୁ ସାମିଲ୍ କରିବାକୁ ସେମାନେ ଦାବି କରିଥିଲେ । ଚକାଯାମ ଆନ୍ଦୋଳନ ମଧ୍ୟ ହୋଇଥିଲା । ସେମିିତିରେ ବର୍ତମାନ ପ୍ରତି ଜିଲ୍ଲାରୁ ଘରୋଇ ବସ୍ ଭୁବନେଶ୍ୱର ଆସୁଛି । ଏବେ ଜଗନ୍ନାଥ ଏକ୍ସପ୍ରେସ ଯୋଡି ହେଲେ ତାର ପ୍ରଭାବ ଘରୋଇ ବସ୍ ଉପରେ କେତେ ପଡିବ ତାହା ପରବର୍ତୀ ସମୟରେ ଜଣା ପଡିବ ।