ଆଉ କିଛି ସମୟ ପରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସଂଧ୍ୟାରେ ଲାଇଟ୍ ଏବଂ ସାଉଣ୍ଡ ସୋ’


ପୁରୀ: ଆଉ କିଛି ସମୟ ପରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ । ଲୋକାର୍ପଣ ପୂର୍ବରୁ ଉତ୍ସବମୁଖର ହୋଇ ଉଠିଛି ଶ୍ରୀକ୍ଷେତ୍ର । ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ । ପରିକ୍ରମା ପ୍ରକଳ୍ପ ବୁଲି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଚତୁର୍ଦିଗ ଜଗନ୍ନାଥମୟ, ଆଖି ଲାଖିଲା ଭଳି ଆକର୍ଷଣରେ ପରିବେଶ । ପୁରୀ ବଡଦାଣ୍ଡର ରାସ୍ତାଘାଟ, କାନ୍ଥବାଡ, କୋଣ ଅନୁକୋଣ ସୁସଜ୍ଜିତ ହୋଇ ରହିଛି । ନୀତିକାନ୍ତି ଠିକଠାକ୍ ଚାଲିଥିବା କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ଅତିଥିମାନେ ଆସି ପୁରୀ ପହିଂବାରେ ଲାଗିଛନ୍ତି । ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ପହଂଚିବେ । ଶ୍ରୀସେତୁ ଓ ଶ୍ରୀମାର୍ଗର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଚାଲିଛି । ଲୋକାର୍ପଣ ଉତ୍ସବ ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧.୨୦ ମିନିଟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ବୋଲି ଲଗ୍ନ ଧାର୍ଯ୍ୟ ହୋଇଛି । ଲୋକାର୍ପଣ ଫଳକର ଡୋରି ଫିଟାଇ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍‌ଘାଟନ କରିବେ । ଏହାପରେ ଗଜପତି ଦେବେ ପୂର୍ଣ୍ଣାହୂତି । ଅଭିମନ୍ତ୍ରିତ ଜଳକୁ ପରିକ୍ରମା ମାର୍ଗ ଓ ଫଳକ ଉପରେ ସିଞ୍ଚନ କରାଯାଇଛି । ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀ ଅନୁଯାୟୀ, ସକାଳେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ ସହ ହବନ ଅନୁଷ୍ଠିତ ହେବ ।

ଅପରାହ୍ଣ୍ଣ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ଣ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସଂଧ୍ୟାରେ ଲାଇଟ୍ ଏବଂ ସାଉଣ୍ଡ ସୋ’ର ବ୍ୟବସ୍ଥା ହୋଇଛି । ଯେଉଁଥିରେ କାଞ୍ଚି ଅଭିଯାନର କଥା କହିବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ । ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ଲାଗି ଶ୍ରୀମନ୍ଦିରର ପ୍ରଦକ୍ଷିଣ ଲାଗି ୫୦ରୁ ଅଧିକ ବ୍ୟାଟେରୀ ଗାଡ଼ିର ବ୍ୟବସ୍ଥା କରାଯାଇଛି ।