ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ


ପୁରୀ: ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆଜି ଅପରାହ୍ଣ ଠିକ୍ ୧ଟା ୨୬ରେ ଗଜପତି ମହାରାଜଙ୍କ ଉପସ୍ଥିତିରେ ନିଜ କରକମଳରେ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଫଳକରେ ନଡିଆ ପିଟି ଉଭୟ ଏହାର ଲୋକାର୍ପିତ କରିଛନ୍ତି । ଏହା ପୂର୍ବରୁ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ଆଦି କରାଯାଇଥିଲା ।

ଏହା ସହିତ ପଂଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ଜଳ ସିଂଚନ କରାଯାଇଥିଲା । ଚାରି ଦ୍ୱାରରେ ବେଦ ପାଠ ମଧ୍ୟ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଉଘାଟନ କରିଥିଲେ । ଏହା ପରେ ଗଜପତି ପୂର୍ଣ୍ଣାହୂତି ଦେବେ । ରୀତି ନୀତି ଅନୁଯାୟୀ ଅଭିମନ୍ତ୍ରିତ ଜଳକୁ ପରିକ୍ରମା ମାର୍ଗ ଓ ଫଳକ ଉପରେ ସିଞ୍ଚନ କରାଯାଇଛି । ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀ ଅନୁଯାୟୀ, ସକାଳେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ ସହ ହବନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନିମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ । ଦିଲ୍ଲୀ, ଉଜ୍ଜୟିନୀ, ଦୁବାଇ, ଆମେରିକା, ଅଷ୍ଟ୍ରେଲିଆରୁ ନିମନ୍ତ୍ରିତ ଅତିଥିମାନେ ଆସିଛନ୍ତି ।

ଅପରାହ୍ଣ୍ଣ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ଣ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସଂଧ୍ୟାରେ ଲାଇଟ୍ ଏବଂ ସାଉଣ୍ଡ ସୋ’ର ବ୍ୟବସ୍ଥା ହୋଇଛି । ଯେଉଁଥିରେ କାଞ୍ଚି ଅଭିଯାନର କଥା କହିବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ । ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ଲାଗି ଶ୍ରୀମନ୍ଦିରର ପ୍ରଦକ୍ଷିଣ ଲାଗି ୫୦ରୁ ଅଧିକ ବ୍ୟାଟେରୀ ଗାଡ଼ିର ବ୍ୟବସ୍ଥା କରାଯାଇଛି ।