ଏବେ ଇରାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌, ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିବା ଦାବି


ନୂଆଦିଲ୍ଲୀ: ପାକିସ୍ତାନ ବଲୁଚିସ୍ତାନରେ ଇରାନ ପକ୍ଷରୁ କରାଯାଇଥିବା ଡ୍ରୋନ ଆକ୍ରମଣର ପ୍ରତିଶୋଧ ନେଇଛି । ଇରାନ ଆକ୍ରମଣର ଗୋଟିଏ ଦିନ ପରେ ଇରାନରେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ପାକିସ୍ତାନ ଦାବି କରିଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ପାକିସ୍ତାନ ଇରାନରେ ଅନେକ ଆତଙ୍କୀ ଠିକଣା ଉପରେ ହମଲା କରି ଏହାକୁ ଧ୍ୱଂସ କରିଛି । ତେବେ ଆକ୍ରମନର ସମୟ ଓ ସ୍ଥାନକୁ ନେଇ କୌଣସି ବଳିଷ୍ଠ ସୂଚନା ହସ୍ତଗତ ହୋଇ ନାହିଁ ।

ପାକିସ୍ତାନୀ ମିଡିଆ ଅନୁସାରେ ପାକିସ୍ତାନ ଇରାନର ଆତଙ୍କବାଦୀ ସଂଗଠନ ବିଏଲଏର ଅନେକ ଠିକଣାକୁ ଟାର୍ଗେଟ୍ କରିଛି । ତେବେ ଏହି ଘଟଣାକୁ ନେଇ ଏ ପର୍ଯ୍ୟନ୍ତ ପାକିସ୍ତାନ ଓ ଇରାନ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ । ତେବେ ଏହି ଘଟଣାକୁ ନେଇ ଦୁଇ ଦେଶର ସଂପର୍କରେ ତିକ୍ତତା ଦେଖିବାକୁ ମିଳିଛି ।

ଇରାନ ଦ୍ୱାରା ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲ ଆତଙ୍କବାଦୀ ଠିକଣା ଉପରେ ହମଲା କରାଯାଇଥିଲା । ଏହା ପରେ ପାକିସ୍ତାନ ଚେତାବନୀ ଦେଇ କହିଥିଲା ଯେ, ଇରାନକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ପାକିସ୍ତାନ ବୁଧବାର ଇରାନର ଆକ୍ରମଣକୁ ନିନ୍ଦା କରି ଏହା ଦେଶର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଥିଲା । ଏମିତି ପଦକ୍ଷେପରେ ପରିଣାମ ଗମ୍ଭୀର ହୋଇପାରେ ।

ପାକିସ୍ତାନ ଏହା ମଧ୍ୟ କହିଥିଲା, ଦୁଇ ଦେଶ ମଧ୍ୟରେ ଭଲ ସଂପର୍କ ରହିଛି । ଆଲୋଚନା ପାଇଁ ଅନେକ ବିକଳ୍ପ ଖୋଲା ରହିଛି, ମାତ୍ର ଇରାନ ଦ୍ୱାରା ସିଧାସଳଖ ବିନା କୌଣସି ସୂଚନାରେ ଆକ୍ରମଣ କରାଯିବା କଦାପି ଗ୍ରହଣୀୟ ନୁହେଁ । ଇରାକ, ସିରିଆର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ଇରାନ ପାକିସ୍ତାନରେ ଏହି ଆକ୍ରମଣ କରିଛି । ଏବେ ପାକିସ୍ତାନର ଆକ୍ରମଣ ଦୁଇ ଦେଶର ସଂପର୍କ କେଉଁ ଦିଗ ଯିବ ତାହା ଉପରେ ସାରା ବିଶ୍ୱର ନଜର ।