ଓଡିଶାରୁ ଉଷୁନା ଚାଉଳ ଉଠାଇବେ କେନ୍ଦ୍ର ସରକାର, ଧର୍ମେନ୍ଦ୍ରଙ୍କ ଚିଠି ପରେ ମୋଦୀ ସରକାରଙ୍କ ତ୍ୱରିତ ପଦକ୍ଷେପ

ଭୁବନେଶ୍ୱର: ଓଡିଶା ଚାଷୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଉଷୁନା ଚାଉଳା ଉଠାଇବେ କେନ୍ଦ୍ର ସରକାର । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ନେଇଛି । ଓଡିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ସଂଗ୍ରହ ହେବ । ଗତ ୧୬ରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରର ଏହି ପଦକ୍ଷେପ ଦ୍ୱାରା ଓଡିଶାର ଲକ୍ଷାଧିକ ଚାଷୀ ଉପକୃତ ହେବେ ।
ଚଳିତ ଖରିଫ ଋତୁରେ ଓଡିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ ଏଫସିଆଇକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଖାଉଟି ଓ ଖାଦ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଲେଖିଥିଲେ, ଦେଶରେ ଧାନ ଉତ୍ପାଦନରେ ଓଡିଶା ଚତୁର୍ଥ ବୃହତ ରାଜ୍ୟ । ଖରିଫ ଋତୁ ୨୦୨୩-୨୪ରେ ଧାନ ସଂଗ୍ରହ ହୋଇ ସାରିଛି । ଚଳିତ ଥର ରାଜୟରେ ଭଲ ଅମଳ ହୋଇଥିବାରୁ ପ୍ରାୟ ୭୯ ଲକ୍ଷ ମେଟ୍ରିକ ଚାଉଳ ଖରିଫ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି । ତେଣୁ ଏମଏସପି ସାହାଯ୍ୟରେ ଓଡିଶାର ଲକ୍ଷାଧିକ ଚାଷୀମାନେ ଧାନ ସଂଗ୍ରହ ମାଧ୍ୟମରେ ଭଲ ଲାଭ ପାଇ ପାରିବେ ।
ତେବେ ୨୦୨୩-୨୪ ଖରିଫ ବିପଣନ ଋତୁରେ ୪୪.୨୮ ଲକ୍ଷ ମେଟ୍ରିକ ଟନ ଟାଉଳ କିଣିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ପାଇଁ ଓଡିଶା ସରକାରଙ୍କ ନିଜସ୍ୱ ଚାଉଳର ଆବଶ୍ୟକତା ପୂରଣ କରିବା ପରେ ପର୍ଯ୍ୟାପ୍ତ ପରିମାଣର ଉଷୁନା ଚାଉଳ ବଳକା ରହିଯାଇପାରେ । ଏହି ବଳକା ଚାଉଳ ଏଫସିଆଇ ଦ୍ୱାରା ଉଠାଣ ହେବାର ଆବଶ୍ୟକତା ରହିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଏବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ଓଡିଶାର କୃଷକ ଲାଭବାନ ହେବେ ।