ଦୂର ହେଲା ଦ୍ୱନ୍ଦ୍ୱ, ସଂଗୃହୀତ ଗୁଆଚାଉଳ ମହାପ୍ରଭୁଙ୍କ ସେବାରେ ଲାଗିବ; ତିଆରି ହେବ ମହାପ୍ରସାଦ


ଭୁବନେଶ୍ୱର: ପୁର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରିବା ପରେ ଅର୍ପଣ ରଥ ଜରିଆରେ ଲୋକଙ୍କଠାରୁ ସଂଗୃହୀତ ଗୁଆ ଓ ଚାଉଳକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ । ଏହି ଚାଉଳ ଯିବ କୁଆଡେ ଏବଂ କଣ ହେବ ତାକୁ ନେଇ ଅସମାହିତ ପ୍ରଶ୍ନ ଉଠିଥିଲା । ଏହାକୁ ନେଇ ଅଡୁଆ ବଢୁଥିବା ଦେଖି ଶ୍ରୀ ମନ୍ଦିର ପ୍ରଶାସନ ଏ ନେଇ ନିଷ୍ପତି ନେଇଛନ୍ତି । ଅର୍ପଣ ରଥରୁ ସଂଗୃହୀତ ଗୁଆ, ଚାଉଳ ମହାପ୍ରଭୁଙ୍କ ସେବାରେ ଲାଗିବ । ସଂଗୃହୀତ ଗୁଆଚାଉଳ ନେଇ ସୁଆରମହାସୁଆର ନିଯୋଗ ସଂପାଦକ ସୂଚନା ଦେଇଛନ୍ତି ।

କୋଇଲି ବୈକୁଣ୍ଠରେ ଥିବା ନିଯୋଗ ଗୃହରେ ରଖାଯିବ ଚାଉଳ ଓ ଗୁଆ । ଚାଉଳରେ ମହାପ୍ରସାଦ, ଖେଚୁଡି, ପିଠା ଓ ଝୋଟି ଚିତା କରାଯିବ । ଚାଉଳ ଅବଡା ଉପଯୋଗୀ ହୋଇଥିଲେ ରନ୍ଧା ଯାଇ ଲାଗି କରାଯିବ । ଚାଉଳ ବାରମିଶା ହୋଇଥିଲେ ଖେଚୁଡି, ମୁରୁଜ, ଝୋଟି ଚିତା କରାଯିବ । ପ୍ରତିଦିନ ଆଳତିରେ ମଧ୍ୟ ଚାଉଳର ବିନିଯୋଗ କରାଯିବ । ଶ୍ରୀଫଳ ବା ଗୁଆ ମହାପ୍ରଭୁଙ୍କ ବିଡିଆ ପାନ ପାଇଁ ବ୍ୟବହାର ହେବ ବୋଲି ସୁଆରମହାସୁଆର ନିଯୋଗ ସଂପାଦକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଅର୍ପଣ ରଥ ବୁଲିବା ପାଇଁ ରାଜ୍ୟ ସରକାର ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମହାନଗର ଅଧିନରେ ଥିବା ପ୍ରତି ୱାର୍ଡକୁ ୫ ଲକ୍ଷ, ପଂଚାୟତ ପିଛା ୨ ଲକ୍ଷ, ଏନଏସି ୱାର୍ଡକୁ ଏକ ଲକ୍ଷ ଏବଂ ମ୍ୟୁନିସିପାଲଟି ୱାର୍ଡକୁ ୨ ଲକ୍ଷ ଟଙ୍କା ଦିଆଯାଇଥିଲା । ଆଉ ଆଦାୟ ହୋଇଥିବା ଚାଉଳ ଗାଁଗୁଡିକର ମନ୍ଦିର ମାନଙ୍କରେ ଗଦା ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି କ୍ୱିଂଟାଲ କ୍ୱିଂଟାଲ ଚାଉଳ ଯିବ କୁଆଡେ ତାକୁ ନେଇ ପ୍ରଶ୍ନ ଉଠିଥିଲା ।

ଅର୍ପଣ ରଥକୁ ନେଇ ବିବାଦ ମଧ୍ୟ ଦେଇଥିଲା । ଅନେକ ଗାଁରେ ଲୋକେ ଏହାକୁ ବିରୋଧ କରିଥିଲେ । ଜଗନ୍ନାଥଙ୍କୁ ଭିକାରୀ ସଜାଇ ଘର ଘର କରି ବୁଲାଯାଉଥିବା ଲୋକେ ଅଭିଯୋଗ କରିଥିଲେ । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ଅର୍ପଣ ରଥ ଭ୍ରମଣ ବିଜେଡିର ନିର୍ବାଚନୀ ପ୍ରଚାର ବୋଲି ବିଜେପି କହିଥିଲା ।