ନିର୍ମଳାଙ୍କ ସଙ୍ଗୀନ ଅଭିଯୋଗ- ତାମିଲନାଡୁରେ ପ୍ରାଣ ପ୍ରତିଷ୍ଠାର ସମାରୋହ ଉପରେ ରୋକ୍ ଲଗାଯାଇଛି


ଭୁବନେଶ୍ୱର: ଆଉ କେଇ ଘଂଟା ପରେ ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ହେବାକୁ ଯାଉଛି । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ସାରିଛି । ଆସନ୍ତାକାଲି ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମୟରେ ସିଧା ପ୍ରସାରଣ ହେବ । ତେବେ ଏହାକୁ ନେଇ ରାଜନୀତି ମଧ୍ୟ ଚାଲିଛି । ତାମିଲନାଡୁ ସରକାର ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପରେ କଟକଣା ଲଗାଇଥିବା ଗୁରୁତର ଅଭିଯୋଗ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସେ ତାମିଲ ଖବର କାଗଜର ରିପୋର୍ଟ ଦେଖାଇ ରବିବାର କହିଛନ୍ତି, ତାମିଲନାଡୁ ସରକାରଙ୍କ ପକ୍ଷରୁ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ମନ୍ଦିରମାନଙ୍କରେ ହେବାକୁ ଥିବା ଭଗବାନ ରାମଙ୍କ ପୂଜା ଉପରେ ମଧ୍ୟ ରୋକ୍ ଲଗାଯାଇଛି । ହିନ୍ଦୁ ଧାର୍ମିକ ଓ ଧର୍ମାର୍ଥ ବନ୍ଦୋବସ୍ତି ବିଭାଗ ସମ୍ବନ୍ଧିତ ମନ୍ଦିରମାନଙ୍କରେ ଶ୍ରୀରାମଙ୍କ ନାମରେ କୌଣସି ପୂଜା, ପୂଜନ, ପ୍ରସାଦ, ଅନ୍ନ ପ୍ରସ୍ତୁତି ଉପରେ ରୋକ୍ ଲଗାଯାଇଛି । କୌଣସି ମନ୍ଦିରରେ ଯେମିତି ରାମଙ୍କ ପୂଜା ନ ହୋଇ ପାରିବ ତା ଉପରେ ପୋଲିସ ନଜର ରଖୁଛି । ଆୟୋଜକଙ୍କୁ ପେଣ୍ଡାଲ ଭାଙ୍ଗି ଦେବାକୁ ମଧ୍ୟ ଧମକ ଦିଆଯାଉଥିବା ସୀତାରମଣ କହିଛନ୍ତି ।

ନିର୍ମଳାଙ୍କ ଏମିତି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ତାମିଲନାଡୁର ମନ୍ତ୍ରୀ ପିକେ ଶେଖର ବାବୁ କହିଛନ୍ତି, ଏମିତି କୌଣସି କଟକଣା ଲଗାଯାଇ ନାହିଁ । ଭଗବାନ ରାମଙ୍କ ପୂଜାର ଆୟୋଜନ ଉପରେ ମଧ୍ୟ କିଛି ପ୍ରତିବନ୍ଧକ ଲଗା ଯାଇ ନାହିଁ । ଏପରିକି ଅନ୍ନଦାନ ଓ ପ୍ରସାଦ ବଂଟନ ଉପରେ ମଧ୍ୟ କିଛି ରୋକ୍ ଲଗାଯାଇ ନାହିଁ ବୋଲି ଶେଖର ବାବୁ କହିଛନ୍ତି । ଆମ ସରକାରଙ୍କୁ ନିନ୍ଦା କରିବା ପାଇଁ ଏମିତି ଷଡଯନ୍ତ୍ର ରଚାଯାଉଥିବା ତାମିଲନାଡୁର ମନ୍ତ୍ରୀ କହିଛନ୍ତି ।