ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ, ୬ ଜଣଙ୍କ ମୃତ୍ୟୁ, ୧୧ ଗୁରୁତର

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘାଟିରେ ଧଉଳି ଗଣନାଟ୍ୟ ଟ୍ରକ ଓଲଟି ଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ଜାତୀୟ ରାଜପଥ ୪୯ ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟିରେ ବୁଧବାର ଏହି ବଡ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି ।
ସୂଚନା ଅନୁଯାୟୀ, ଧଉଳି ଗଣନାଟ୍ୟର ଏହି ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା । ଗାଡିରେ ଲାଇଟ୍ ସରଞ୍ଜାମ ନେଇ କର୍ମଚାରୀମାନେ ଯାଉଥିବା ସମୟରେ ଟ୍ରକଟି ଦ୍ୱାରଶୁଣୀ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଟ୍ରକ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଜଣା ପଡିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ଆହତଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।