ଭୁବନେଶ୍ଵର: ଆଇଏଏସ ପରେ ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ବର୍ତ୍ତମାନ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଥିବା ସଞ୍ଜୀବ ପଣ୍ଡାଙ୍କୁ କଟକ-ଭୁବନେଶ୍ଵର ଦ୍ଵେତ ନଗରୀର ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି। ପୋଲିସ କମିଶନର ଥିବା ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଏହିପରି ୧୮ ଆଇପିଏସ ଅଫିସରଙ୍କୁ ବିଭିନ୍ନ ପଦରେ ବଦଳି କରାଯାଇଛି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ଡ. ଶ୍ରୀମତି ସନ୍ତୋଷ ବାଲାଙ୍କୁ ଓଡିଶା ପୋଲିସ ହାଉସିଂ ଓୟାର କର୍ପୋରେସନର ସିଏମଡି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ପୂର୍ବାଞ୍ଚଳର ଆଇଜି ଥିବା ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ପଦବୀକୁ ବଦଳି କରାଯାଇଥିବା ବେଳେ ଉତ୍ତରାଞ୍ଚଳ ପୋଲିସ ଆଇଜି ଥିବା ଦୀପକ କୁମାରଙ୍କୁ ଏନସିଆର ତାଳଚେରର ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ପୋଲିସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଏସଟିଏଫର ଅପରାଧ ଶାଖା ଆଇଜି ଜେଏନ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ସହ ବ୍ରହ୍ମପୁର ସ୍ଥିତ ଏସଟିଏଫ ଇଓଡବ୍ଲ୍ୟୁର ଆଇଜି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।
ସେହିଭଳି ପୁରୀ ଏସପି କନଓ୍ଵର ବିଶାଲ ସିଂଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। କଟକ ଡିସିପି ପିନାକୀ ମିଶ୍ରଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟର ଅତିରକ୍ତି ଆଇଜି ଥିବା ବି ଯୁଯୋଳ କିଶୋରକୁମାରଙ୍କୁ କେନ୍ଦ୍ରାପଡା ଏସପି ଭାବେ ବଦଳି କରାଯାଇଥିବା ବେଳେ କେନ୍ଦ୍ରାପଡାର ଏସପି ଭାବେ କାର୍ଯ୍ୟରତ ଏମ ସନ୍ଦୀପ ସମ୍ପଦଙ୍କୁ ଢେଙ୍କାନାଳ ଏସପି ପଦବୀରେ ଅବସ୍ଥାପିତ କରାଯାଇଛି। ରାୟଗଡା ଏସପି ଥିବା ବିବେକାନନ୍ଦ ଶର୍ମାଙ୍କୁ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଭାବେ ବଦଳି କରଯାଇଛି। ଢେଙ୍କାନାଳ ଏସପି ଭାବେ କାର୍ଯ୍ୟ କରୁଥିବା ଓପିଏସ ଅଫିସର ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ଭୁବନେଶ୍ଵରକୁ ବଦଳି କରାଯାଇଛି।
ସୋନପୁର ଏସପି ଓପିଏସ ଅମେଶର କୁମାର ପଣ୍ଡାଙ୍କୁ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଦେବଗଡ଼ ଏସପି ପିକେ ମିଶ୍ରଙ୍କୁ ରାଉରକେଲାର ଏସଆରପି ପଦବୀକୁ ବଦଳି କରାଯାଇଥିବା ବେଳେ ସ୍ପେଶାଲ ବ୍ରାଞ୍ଚ ଏସପି ରାମପ୍ରସାଦ ସାହୁଙ୍କୁ ଦେବଗଡ ଏସପି ପଦବୀରେ ଅବସ୍ଥାପିତ କରାଯାଇଛି। ଜୟପୁର ଏସଡିପିଓ ହରିଶ ବିସିଙ୍କୁ ରାୟଗଡା ଏସପି ଭାବେ ଅବସ୍ଥାପିତ କରାଯାଇଛି। ବାଲିଗୁଡା ଏସଡିପିଓ ୟଶ ପ୍ରତାପ ଶ୍ରୀମାଲଙ୍କୁ ସୋନପୁର ଏସପି ଭାବେ ବଦଳି କରାଯାଇଛି।