ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବାକୁ ଯାଇ ଫେରିଲା ଶବ, ତଦନ୍ତ ପରେ ଜଣା ପଡିବ ମୃତ୍ୟୁର କାରଣ


ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ମୁଣ୍ଢେନପାଲି ପଞ୍ଚାୟତର ରଥକଣ୍ଟା ନିକଟ କେନାଲରୁ ମିଳିଛି ଆଜି ଜଣେ ଯୁବକଙ୍କ ମୃତଦେହ। ମୃତ ଯୁବକ ହେଉଛନ୍ତି ବାରିବନ୍ଧ ନିକଟ ଗିରିପଡାର କର୍ଣ୍ଣ ବାଗଙ୍କ ୧୯ ବର୍ଷିୟ ପୁଅ ଆଶୁତୋଷ ବାଗ୍ ଓରଫ ଠାଡୁଆ। ମୃତ୍ୟୁର କାରଣ ସ୍ୱଷ୍ଟ ହୋଇନଥିଲେ ମଧ୍ୟ ଏହାର ପାରିପାର୍ଶ୍ୱକ ଦିଗ ଓ ଘଟଣା କ୍ରମକୁ ନିରୀକ୍ଷଣ କରି ଏହା ଏକ ଦୂର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ନେଇ ପ୍ରାରମ୍ଭିକ ତଦନ୍ତକୁ ନେଇ ପୋଲିସ କହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପରବର୍ତ୍ତି ତଦନ୍ତ ପରେ ଏହା ସ୍ୱଷ୍ଟ ହେବ।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ମତେ ଆଶୁତୋଷ ଗତକାଲି ଦିନ ୩ଟାରେ ମୁଣ୍ଢେନପାଲି ଠାରେ ୨୯ ତାରିଖ ଦିନ ପ୍ରତିଷ୍ଠା ହେବାକୁ ଥିବା ଶିବ ମନ୍ଦିରକୁ ଦେଖିବାକୁ ଯାଇଥିଲେ। କିନ୍ତୁ ଆଜି ସକାଳ ସୁଦ୍ଧା ଘରକୁ ଫେରିନଥିଲେ। ଆଜି ସକାଳେ ମୃତ ଯୁବକ ବ୍ୟବହାର କରୁଥିବା ବାଇକ ତାଙ୍କର ଯୋତା ରଥକଣ୍ଟା ନିକଟ କେନାଲ କଡରେ ପଡିଥିବା ନେଇ ପ୍ରଘଟ ହୋଇଥିଲା। ଗୌଡପାଲି ପୋଲିସ କୌଣସି ସ୍ତରରୁ ସୂଚନା ପାଇ ଜମନକିରା ଥାନାକୁ ଜଣାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପାରିପାର୍ଶ୍ୱକ ଦିଗକୁ ଅନୁଧ୍ୟାନ କରି ଦମକଳ ବାହୀନିର ସହଯୋଗ ଲୋଡିଥିଲେ। ପୋଲିସ ଓ ଦମକଳ ବାହୀନିର ମିଳିତ ଉଦ୍ୟମ କ୍ରମେ ଘଟଣା ଘଟିଥିବା ୧୦ ଫୁଟ ଦୂର କେନାଲ ଭତରୁ ଆଶୁତୋଷଙ୍କ ମୃତ ଶରୀର ମିଳିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇବା ବ୍ୟବସ୍ଥା କରୁଛି।ମୃତ ଯୁବକର ବାପା କର୍ଣ୍ଣ ବାଗ ଏ ସଂପର୍କରେ ଥାନାରେ ଏତଲା ଦେଇଛନ୍ତି। ଗୌଡପାଲି ପୋଲିସ ସହିତ ଜମନକିରା ଭାରପ୍ରାପ୍ତ ଥାନା ଅଧିକାରୀ ପଦ୍ମାଳୟା ସାହୁ ଘଟଣାର ପ୍ରତ୍ୟକ୍ଷ ତଦନ୍ତ କରି ବାଇକର ଭାରସାମ୍ୟ ହରାଇ ଦୂର୍ଘଟଣାର ଶିକାର ହୋଇଥିବା ଯୁବକ ପାଣିରେ ପଡି ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଆଶଙ୍କା କରୁଛନ୍ତି । ତେବେ ଏହି ଘଟଣା ଗତକାଲି ରାତି ୭.୩୦ରୁ ୮ ଟା ମଧ୍ୟରେ ହୋଇଥିବା ଓ ଘଟିଥିବା ଘଟଣା ସ୍ଥାନ ଦିଗ ପରିବର୍ତ୍ତନ ସ୍ଥାନ ହୋଇଥିବାରୁ ପୋଲିସର ଅଧିକ ତଦନ୍ତର ଆବଶ୍ୟକା ରହୁଥିବା ନେଇ ଗୁରୁତ୍ୱ ଦିଆଯାଇଛି ।