ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଦବଦବା, ୧୭୫ ରନର ଅଗ୍ରଣୀ ହାସଲ


ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦୁଇ ଦିନ ଭାରତ ନାମରେ ରହିଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୪୨୧ ରନ କରିଛି । ଏହା ସହିତ ଭାରତ ହାତରେ ୩ ୱିକେଟ୍ ଥାଇ ୧୭୫ ରନରେ ଅଗ୍ରଣୀ ହାସଲ କରିଛି । କ୍ରିଜରେ ରବୀନ୍ଦ୍ର ଜାଡେଜା ୮୧ ରନ ଓ ଅକ୍ଷର ପଟେଲ ୩୫ ରନ କରି କ୍ରିଜରେ ଅଛନ୍ତି । ଇଂଲଣ୍ଡ ପକ୍ଷରୁ ଟମ୍ ହର୍ଟଲୀ ଓ ଜୋ ରୁଟ୍ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

ପ୍ରଥମ ଦିନର ଅସମାପ୍ତ ଖେଳ ୧୧୯/୧ ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଭାରତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସେସନରେ ଦୁଇଟି ଲେଖାଏ ୱିକେଟ୍ ହରାଇଥିଲା । ଭାରତ ଆଜି ପ୍ରଥମ ୱିକେଟ୍ ଭାବେ ଯଶସ୍ୱୀ ଜୟସ୍ୱାଲଙ୍କୁ ହରାଇଥିଲା । ଯଶସ୍ୱୀ ୮୦ ରନ କରି ପାଭିଲିୟନ ଫେରିଥିଲେ । ଶୁଭମନ ଗିଲ(୨୩) ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ । ଶ୍ରେୟସ ଆୟର ୩୫ ରନ କରି ଆଉଟ୍ ହୋଇଥିଲେ । ତେବେ କେଏଲ ଦମଦାର ବ୍ୟାଟିଂ କରିଥିଲେ । ସେ ଅର୍ଦ୍ଧଶତକ ହାସଲ କରି ଶତକ ଆଡକୁ ଅଗ୍ରସର ହେଉଥିଲେ ହେଁ ୮୬ ରନ ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ । ଏଥିରେ ୮ ଚୌକା ଓ ୨ ଛକା ସାମିଲ୍ । ତୃତୀୟ ସେସନରେ କେଏସ ଭରତ ଭଲ ବ୍ୟାଟିଂ କରି ୪୧ ରନ କରିଥିଲେ । ଅଶ୍ୱିନ ଏକ ରନ କରି ଆଉଟ୍ ହୋଇଥିଲେ।

ତେବେ ଦ୍ୱିତୀୟ ଦିନରେ ରବୀନ୍ଦ୍ର ଜାଡେଜା ପ୍ରଶଂସନୀୟ ଇନିଂସ ଖେଳିଛନ୍ତି । ଜାଡେଜା ଅର୍ଦ୍ଧଶତକ ହାସଲ କରିବା ସହିତ ୮୧ ରନରେ ଅପରାଜିତ ଅଛନ୍ତି। ତାଙ୍କ ସହ ଅକ୍ଷର ପଟେଲ୍ ୩୫ ରନ କରି ଖେଳୁଛନ୍ତି । ଦୁଇ ବ୍ୟାଟର ଅଷ୍ଟମ ୱିକେଟ୍ ପାଇଁ ଏ ପର୍ଯ୍ୟନ୍ତ ୬୩ ରନ ଯୋଡି ସାରିଛନ୍ତି । ଭାରତ ଅଦ୍ୟାବଧି ୧୭୫ ରନରେ ଅଗ୍ରଣୀ ହାସଲ କରି ସାରିଛି । ତୃତୀୟ ଦିନର ଖେଳ ବେଶ ରୋଚକ ହେବାକୁ ଯାଉଛି । ମୋଟାମୋଟି ଭାରତ କବଜାରେ ହାଇଦ୍ରାବାଦ ଟେଷ୍ଟ ରହିଛି ।