ସମ୍ବଲପୁର: ଆଜି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମା ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଯଜ୍ଞ ଏବଂ ପୂଜା ବିଧି ଆରମ୍ଭ ହୋଇ ଯାଇଛି । ଆଜି ମହାନଦୀରେ ମୁଖ୍ୟମନ୍ତ୍ରୀ ଆରତି କରିବେ । ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ।
ଚଣ୍ଡିପାଠରେ ସମଗ୍ର ସମ୍ବଲପୁର ସହର ପ୍ରକମ୍ପିତ ହୋଇ ଉଠିଛି । ଦିନ ୧୨ଟାରେ ସମଲେଇ ମନ୍ଦିରରେ ପହଂଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଙ୍କ ଆଶୀର୍ବାଦ ନେବା ପରେ ପ୍ରକଳ୍ପର ଲୋକାର୍ପଣ କରିବେ । ଶୁକ୍ରବାରଠୁ ମା ସମଲେଇଙ୍କ ପୀଠରେ କଳସ ଯାତ୍ରା କରାଯିବା ସହ ଅଧିବାସ ଆରମ୍ଭ ହୋଇଥିଲା । ଆଜି ୩୦ ଜଣ ବିଦ୍ୱାନ ପଣ୍ଡିତଙ୍କ ଦ୍ୱାରା ଯଜ୍ଞ କାମ ଚାଲିଛି । ଲୋକାର୍ପଣ ଉତ୍ସବ ପାଇଁ ଶ୍ରଦ୍ଧାଳୁମାନେ ସିନ୍ଦୂର ଓ ଚୁନରି ଦାନ କରି ପାରିବେ ।୩୧ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ଆସନ୍ତା ୩୦ ତାରିଖରୁ ପ୍ରତିଦିନ ଓଡ଼ିଶାର ୪ଟି ନିର୍ବାଚନ ମଣ୍ଡଳୀର ୮ହଜାର ଲୋକ ମା’ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଆସିବେ ।
ପ୍ରକଳ୍ପର ପ୍ରତିଟି ଦୃଶ୍ୟକୁ ଟେଲିଭିଜିନ ମାଧ୍ୟମରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ସମ୍ବଲପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ୫ଟାରୁ ଭକ୍ତମାନେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ।