ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲାରେ ବଡ ଦୁର୍ଘଟଣା ଘଟିଛି । ପିକନିକ ଯିବା ବେଳେ ଟ୍ରକ-ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଓ ନୟାଗଡ ସ୍ଥାନାନ୍ତର କରାଯାଇଛି । ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଶନିବାର ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଦଶପଲ୍ଲା ଏନଏସି ଅନ୍ତର୍ଗତ ବାରପୁରିକିଆ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଦେବୀସ ଟ୍ୟାଲେଂଟ ଟ୍ୟୁଟୋରିଆଲ ନାମକ ଏକ ଅନୁଷ୍ଠାନର ଛାତ୍ରୀମାନେ ବସରେ ହରିଶଙ୍କର ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ବୀପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ନୟାଗଡ ଏସପି ରାହୁଲ ଜୈନ, ଏସଡିପିଓ, ଦଶପଲ୍ଲା ଆଇଆଇସି ପ୍ରମୁଖ ପହଂଚି ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି । ମୃତକମାନେ ହେଲେ ଅମ୍ରିତା ସାହୁ, ଚିନ୍ମୟୀ ପ୍ରିୟଦର୍ଶିନୀ ଓ ଲୋପାମୁଦ୍ରା ପ୍ରଧାନ ।